Wed. Jun 3rd, 2026

ନ୍ୟୁଜ ଡେକ୍ସ : ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ଓ ପ୍ରଯୋଜକ ସୁଭାଷ ଘାଇ ନିଜର କଲ୍ଟ କ୍ଲାସିକ୍ ଫିଲ୍ମ ‘ଖଲନାୟକ’ର ସିକ୍ୱେଲ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରାୟ ୩୦ ବର୍ଷ ପୂର୍ବେ ସଞ୍ଜୟ ଦତ୍ତ ଅଭିନୀତ ‘ଖଲନାୟକ’ ଫିଲ୍ମକୁ ସେ ନିର୍ଦ୍ଦେଶନା କରିଥିଲେ। ଏବେ ସଞ୍ଜୟ ଦତ୍ତ ‘ଖଲନାୟକ ରିଟର୍ଣ୍ଣସ୍’ ନେଇ ଘୋଷଣା କରିଥିବା ସହ ଏକ ଟିଜର ମଧ୍ୟ ମୁକ୍ତି କରିଛନ୍ତି, ଯେଉଁଥିରେ ସେ ଭୟଙ୍କର ଲୁକ୍‌ରେ ଦେଖାଯାଇଛନ୍ତି।

ଏହି ଘୋଷଣା ପରେ ଫ୍ୟାନ୍‌ମାନେ ଭାବିଥିଲେ ଯେ ସୁଭାଷ ଘାଇ ଏହି ସିକ୍ୱେଲ୍‌ର ନିର୍ଦ୍ଦେଶନା କରିବେ। କିନ୍ତୁ ସେ ଏହାକୁ ସ୍ପଷ୍ଟ କରି କହିଛନ୍ତି ଯେ ସେ ‘ଖଲନାୟକ ରିଟର୍ଣ୍ଣସ୍’ ନିର୍ଦ୍ଦେଶନା ଦେଉନାହାନ୍ତି, ତଥାପି ପ୍ରକଳ୍ପରେ ସାମିଲ ରହିବେ।ସୁଭାଷ ଘାଇ କହିଛନ୍ତି ଯେ ସଞ୍ଜୟ ଦତ୍ତ ଦୀର୍ଘଦିନ ଧରି ଏହି ଫିଲ୍ମର ସିକ୍ୱେଲ୍‌ ତିଆରି କରିବାକୁ ଇଚ୍ଛୁକ ଥିଲେ। ସେ ଜେଲରେ ଥିବା ସମୟରେ ମଧ୍ୟ ତାଙ୍କୁ ଏନେଇ ଚିଠି ଲେଖିଥିଲେ। ତା’ପରେ ସେ ସଞ୍ଜୟଙ୍କୁ କାହାଣୀ ଓ କନସେପ୍ଟ ପଠାଇଥିବା କଥା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ନିଜେ ଏହାକୁ ପୁନଃନିର୍ମାଣ କରିବାର ଇଚ୍ଛା ନାହିଁ ଏବଂ ବୟସ ଦୃଷ୍ଟିରୁ ସେ ଏହାର ନିର୍ଦ୍ଦେଶନା କରିବାକୁ ଚାହୁଁନଥିବାରୁ ସଞ୍ଜୟଙ୍କୁ ନିଜେ ପ୍ରଯୋଜନା କରିବାକୁ ପରାମର୍ଶ ଦେଇଥିଲେ।

ସେ ଏହି ଫିଲ୍ମରେ କ୍ରିଏଟିଭ୍ ପ୍ରଯୋଜକ ଭାବେ ସାମିଲ ହେବାକୁ ସମ୍ଭାବନା ରଖିଛନ୍ତି।ସୁଭାଷ ଘାଇ ଆଶା ବ୍ୟକ୍ତ କରିଛନ୍ତି ଯେ ସଞ୍ଜୟ ଦତ୍ତ ଏହି ସିନେମା ପାଇଁ ଯୋଗ୍ୟ ନିର୍ଦ୍ଦେଶକ ବାଛିବେ ଏବଂ ଶୀଘ୍ର ଏନେଇ ଘୋଷଣା କରାଯିବ। ସେ କହିଛନ୍ତି ଯେ ସଞ୍ଜୟ ତାଙ୍କ ପୁଅ ପରି ଏବଂ ସେ ଚାହିଲେ ଏହି ସିନେମାରେ କ୍ୟାମିଓ ଭୂମିକା ମଧ୍ୟ କରିପାରନ୍ତି।

Leave a Reply

Your email address will not be published. Required fields are marked *