ନ୍ୟୁଜ ଡେକ୍ସ : ଗତ କିଛି ଦିନ ଧରି ରାଜ୍ୟରେ ଅସହ୍ୟ ତାତି ଜନଜୀବନକୁ କ୍ଲାନ୍ତ କରିଦେଇଥିଲା। ପାରଦ ସଦା ଉପରମୁହାଁ ରହିଥିବା ବେଳେ ଝାରସୁଗୁଡ଼ା ଲଗାତର ୪୪ ଡିଗ୍ରୀରୁ ଅଧିକ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ପରିଚିତ ହୋଇଥିଲା। ତେବେ ଏହି ତାତିରେ ଏବେ କିଛି ରାହାତ ମିଳିବାର ସମ୍ଭାବନା ଦେଖାଦେଇଛି।
ଆଜିଠୁ ପାଗର ମିଜାଜ ବଦଳିବା ସହ ମେ ୬ ତାରିଖ ପର୍ଯ୍ୟନ୍ତ ତାପମାତ୍ରା କମିପାରେ ବୋଲି ପୂର୍ବାନୁମାନ ହୋଇଛି।ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, କାଳବୈଶାଖୀ ପ୍ରଭାବରେ ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ତାତି କମ୍ ରହିବ। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ବୁଧବାରଠାରୁ ମେ ୪ ପର୍ଯ୍ୟନ୍ତ ୬ ଦିନ ଧରି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଏହି ସମୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ଓ ଜୋର ପବନ ବହିବ।ବୁଧବାର ଦିନ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ବିଜୁଳି ସହିତ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ଏହି ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ସତର୍କତା ଜାରି କରାଯାଇଛି।ଏହାସହ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ କାଳବୈଶାଖୀ ପ୍ରଭାବ ସତ୍ତ୍ୱେ କିଛି ଅଞ୍ଚଳରେ ଗରମ ଓ ଗୁଳୁଗୁଳି ଅବ୍ୟାହତ ରହିପାରେ ବୋଲି ଆଶଙ୍କା କରାଯାଇଛି।
ମଙ୍ଗଳବାର ଝାରସୁଗୁଡ଼ାରେ ୪୫.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇ ଦେଶର ଦ୍ୱିତୀୟ ସବୁଠୁ ଉତ୍ତପ୍ତ ସହର ଭାବେ ପରିଣତ ହୋଇଥିଲା। ଏହା ଚଳିତ ଗ୍ରୀଷ୍ମ ଋତୁର ଏକ ରେକର୍ଡ ତାପମାତ୍ରା ମଧ୍ୟ ଥିଲା। ସେହିପରି ସମ୍ବଲପୁରରେ ୪୩.୫ ଡିଗ୍ରୀ ଓ ଢେଙ୍କାନାଳରେ ୪୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏପରି ସ୍ଥିତିରେ କାଳବୈଶାଖୀର ପ୍ରଭାବ ଲୋକମାନଙ୍କୁ କିଛି ରାହାତ ଦେବ ବୋଲି ଆଶା କରାଯାଉଛି।

