ନ୍ୟୁଜ ଡେକ୍ସ : ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଏକ ନୂଆ ଓ ରୋମାଞ୍ଚକର ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏଣିକି କେବଳ ଲମ୍ବା ରନ୍ୱେ କିମ୍ବା ବଡ଼ ବିମାନବନ୍ଦର ନୁହେଁ, ପାଣିରୁ ମଧ୍ୟ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବ। ଦେଶରେ ପ୍ରଥମଥର ପାଇଁ କମର୍ସିଆଲ୍ ସି-ପ୍ଲେନ୍ ବା ୱାଟର ଫ୍ଲାଇଟ୍ ସେବା ଆରମ୍ଭ ପାଇଁ ପଥ ପ୍ରସ୍ତୁତ ହୋଇଛି।
ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ବିମାନ ଚଳାଚଳ ଷ୍ଟାର୍ଟଅପ୍ ସ୍କାଏହପ୍ ଏଭିଏସନ୍କୁ ଏୟାର ଅପରେଟର ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଏହା ସହିତ ସ୍କାଏହପ୍ ଭାରତର ପ୍ରଥମ ଡେଡିକେଟେଡ୍ କମର୍ସିଆଲ୍ ସି-ପ୍ଲେନ୍ ଅପରେଟର ଭାବେ ପରିଚିତ ହୋଇଛି।ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଏହି ସେବା ଲାକ୍ଷାଦ୍ୱୀପରୁ ଆରମ୍ଭ ହେବ। ଦ୍ୱୀପପୁଞ୍ଜର ପ୍ରମୁଖ ୫ଟି ଦ୍ୱୀପ ଓ ମେନଲ୍ୟାଣ୍ଡ ମଧ୍ୟରେ ଯୋଗାଯୋଗ ସୁବିଧା ବୃଦ୍ଧି ପାଇଁ ଏହି ସି-ପ୍ଲେନ୍ ବ୍ୟବହୃତ ହେବ। ଏଥିପାଇଁ ୧୯ ଆସନ ବିଶିଷ୍ଟ ଡି ହାଭିଲାଣ୍ଡ କାନାଡା ଡିଏଚସି-୬ ଟ୍ୱିନ୍ ଓଟର ଆମ୍ଫିବିୟସ୍ ବିମାନ ବ୍ୟବହାର କରାଯିବ, ଯାହା ପାଣିରେ ସହଜରେ ଲ୍ୟାଣ୍ଡିଂ ଓ ଟେକ୍-ଅଫ୍ କରିପାରିବ। ଏହି ଲାଇସେନ୍ସ ପ୍ରାପ୍ତି ପୂର୍ବରୁ କମ୍ପାନୀ ଉତ୍ତରାଖଣ୍ଡର ଗଙ୍ଗା ବ୍ୟାରେଜ୍ ଓ ତେହେରି ହ୍ରଦରେ ସଫଳ ପରୀକ୍ଷା ଉଡ଼ାଣ କରିଥିଲା।
ସମସ୍ତ ସୁରକ୍ଷା ମାନଦଣ୍ଡ ପୂରଣ ପରେ ଡିଜିସିଏ ପକ୍ଷରୁ ଅନୁମୋଦନ ମିଳିଛି।ସ୍କାଏହପ୍ ଏଭିଏସନର ପ୍ରତିଷ୍ଠାତା ଓ ସିଇଓ ଅବନୀ ସିଂ କହିଛନ୍ତି ଯେ, ଏହା ତାଙ୍କ କମ୍ପାନୀ ପାଇଁ ଏକ ବଡ଼ ସଫଳତା ଓ ଦୀର୍ଘ ପରିଶ୍ରମର ଫଳ। ଦୁର୍ଗମ ଅଞ୍ଚଳଗୁଡ଼ିକୁ ସହଜ ଯାତାୟାତ ସୁବିଧା ଦେବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।ସି-ପ୍ଲେନ୍ ସେବା ଆରମ୍ଭ ହେଲେ ବଡ଼ ବିମାନବନ୍ଦର ଆବଶ୍ୟକତା କମିଯିବ ଏବଂ ନଦୀ, ହ୍ରଦ ଓ ସମୁଦ୍ର ଉପକୂଳରୁ ସିଧାସଳଖ ଉଡ଼ାଣ ସମ୍ଭବ ହେବ। ଏହା ଦ୍ୱାରା ଲାକ୍ଷାଦ୍ୱୀପ, ଆଣ୍ଡାମାନ ଭଳି ଦ୍ୱୀପାଞ୍ଚଳ ଓ ପାହାଡ଼ିଆ ଅଞ୍ଚଳକୁ ଯାତ୍ରା ସହଜ ହେବ। ସେଥିସହ ଦେଶର ପର୍ଯ୍ୟଟନ ଶିଳ୍ପ ଓ ଉଡ଼ାନ୍ ଯୋଜନାକୁ ମଧ୍ୟ ନୂତନ ଗତି ମିଳିବ ବୋଲି ଆଶା କରାଯାଉଛି।

