Thu. Apr 30th, 2026

ନ୍ୟୁଜ ଡେକ୍ସ : ବୁଧବାର ସନ୍ଧ୍ୟାରେ ହଠାତ୍ ଓଡ଼ିଶାର ଏକାଧିକ ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବାରୁ ସାଧାରଣ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି। ସନ୍ଧ୍ୟା ପ୍ରାୟ ୭ଟା ୪୦ ମିନିଟ୍ ସମୟରେ କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ଝଟକା ଅନୁଭବ କରାଯାଇଥିଲା।ମାଟି ତଳୁ ଅଜବ ଓ ଭୟଙ୍କର ଶବ୍ଦ ଶୁଣିବା ସହ କିଛି ସେକେଣ୍ଡ ପର୍ଯ୍ୟନ୍ତ ଘରର ଆସବାବପତ୍ର ଦୋହଲିଯାଇଥିଲା।

ଭୟଭୀତ ହୋଇ ଲୋକମାନେ ଘରୁ ବାହାରି ଖୋଲା ସ୍ଥାନକୁ ଦୌଡ଼ି ଯାଇଥିଲେ।ପ୍ରାଥମିକ ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର କଲମପୁର, ଜୁନାଗଡ଼, ଧର୍ମଗଡ଼ ଓ କୋକସରା ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଥିଲା। ଏହା ସହ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ସିନାପାଲି ଏବଂ ବୋଡେନ ଅଞ୍ଚଳରେ ମଧ୍ୟ ଏହି ଝଟକା ଅନୁଭବ କରାଯାଇଥିଲା।ଏକ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ସନ୍ଧ୍ୟା ସମୟରେ ହଠାତ୍ ଭୟଙ୍କର ଶବ୍ଦ ସହ ଘର କମ୍ପିଯାଇଥିଲା, ଯାହାରୁ ସେମାନେ ଭୟଭୀତ ହୋଇ ବାହାରକୁ ପଳାଇଯାଇଥିଲେ। ଆଖପାଖ ଅଞ୍ଚଳର ଅନେକ ଲୋକ ମଧ୍ୟ ସମାନ ଅନୁଭୂତି କରିଥିବା କହିଛନ୍ତି।

ଯଦିଓ ଏହି ଘଟଣା ଲୋକମାନଙ୍କ ମନରେ ଆତଙ୍କ ସୃଷ୍ଟି କରିଛି, ତଥାପି ଏପର୍ଯ୍ୟନ୍ତ କୌଣସି ଜୀବନହାନି କିମ୍ବା ବଡ଼ ପ୍ରମାଣର କ୍ଷତିର ସୂଚନା ମିଳିନାହିଁ। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡା ନଜର ରଖାଯାଇଛି ଏବଂ ପ୍ରଭାବିତ ଅଞ୍ଚଳରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି।ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଓ ରିକ୍ଟର ସ୍କେଲରେ ତୀବ୍ରତା ସମ୍ପର୍କରେ ପାଣିପାଗ ଓ ଭୂକମ୍ପ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ଜାରି ହୋଇନାହିଁ।

Leave a Reply

Your email address will not be published. Required fields are marked *