Thu. Apr 30th, 2026

ନ୍ୟୁଜ ଡେକ୍ସ : କଟକ ଓଏମ୍‌ପି ସ୍ଥିତ ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍‌ ଭିତରେ ପୋଲିସ କର୍ମଚାରୀଙ୍କୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି। ଗତକାଲି ରାତିରେ ଘଟିଥିବା ଏହି ଅଭାବନୀୟ ଘଟଣାରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଆହତମାନଙ୍କ ବେକ, ପିଠି ଓ ହାତରେ ଗୁରୁତର ଆଘାତ ଲାଗିଥିବା ବେଳେ ସିପାହୀ ପ୍ରଶାନ୍ତ ମୁଦୁଲି, ମାନସ ରଣସିଂହ ଓ ଚାଉଳିଆଗଞ୍ଜ ଥାନାର ହୋମଗାର୍ଡ ବିପିନ ଦାସଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି।

ବିପିନ ଦାସଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।ପ୍ରାରମ୍ଭିକ ତଦନ୍ତରୁ ପ୍ରେମ ସମ୍ପର୍କିତ ବିବାଦକୁ ନେଇ ଏହି ଆକ୍ରମଣ ଘଟିଥିବା ଜଣାପଡ଼ିଛି। ଗତକାଲି ରାତିରେ ଏକ ଯୁବକ ଓ ଯୁବତୀ କ୍ୟାମ୍ପସ୍‌ ଭିତରେ ଥିବାବେଳେ ପାଟ୍ରୋଲିଂ ଦଳ ସେଠାକୁ ପହଞ୍ଚି ସେମାନଙ୍କୁ କଣ୍ଟ୍ରୋଲ୍ ରୁମ୍‌କୁ ନେଇଥିଲା। ପରେ ଅନୁମତି ବିନା କ୍ୟାମ୍ପସ୍‌କୁ ନ ଆସିବାକୁ ଲିଖିତ ପ୍ରତିଶ୍ରୁତି ନିଆଯାଇଥିଲା।

ତେବେ ଅଭିଭାବକଙ୍କୁ ଡକାଇବା ପାଇଁ ପୋଲିସ ଫୋନ୍ ନମ୍ବର ମାଗିବାରୁ ଯୁବକ ଜଣକ ରାଗିଯାଇ ନିଜ ସାଥୀମାନଙ୍କୁ ଡାକିଥିଲେ। ପରେ ସେମାନେ କ୍ୟାମ୍ପସ୍‌ରେ ପଶି ପୋଲିସ ଉପରେ ହଠାତ୍ ଆକ୍ରମଣ କରିଥିଲେ। ଘଟଣାରେ ସଂପୃକ୍ତ ଯୁବକ, ଯୁବତୀ ସହ ୫ ଜଣ ଆକ୍ରମଣକାରୀଙ୍କୁ ଚାଉଳିଆଗଞ୍ଜ ଥାନାରେ ଅଟକ ରଖାଯାଇଛି ଏବଂ ପୋଲିସ ତଦନ୍ତ ଜାରି ରହିଛି। ଏହି ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *