Thu. Apr 30th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଚଳିତ ମାସ ୨୭ ତାରିଖରୁ ସମସ୍ତ ବିଦ୍ୟାଳୟରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଛୁଟି ସମୟରେ ବିଦ୍ୟାଳୟର ପରିଚାଳନା ଓ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସୁଚାରୁ ରଖିବା ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି କରାଯାଇଛି।

ନିର୍ଦେଶାବଳୀ ଅନୁଯାୟୀ, ଛାତ୍ରଛାତ୍ରୀମାନେ ନିଜ ବିଷୟଗତ ଖାତାରେ ଗୃହକାର୍ଯ୍ୟ କରିବେ। କୌଣସି ପ୍ରକାର ଶିକ୍ଷାଗତ ସହାୟତା ପାଇଁ ସେମାନେ ଟେଲିଫୋନ୍‌ ମାଧ୍ୟମରେ ନିଜ ଶ୍ରେଣୀ ଶିକ୍ଷକ କିମ୍ବା ବିଷୟ ଶିକ୍ଷକଙ୍କ ସହ ସଂଯୋଗ ରଖିପାରିବେ। ଶିକ୍ଷକମାନେ ମଧ୍ୟ ନିୟମିତ ଭାବେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ସମ୍ପର୍କରେ ରହି ଶିକ୍ଷାଦାନ ପ୍ରକ୍ରିୟାକୁ ଆଗେଇ ନେବେ।ଏହା ସହ ଛୁଟି ସମୟରେ ନାମଲେଖା ପ୍ରକ୍ରିୟା ଜାରି ରହିଥିବାରୁ ବିଦ୍ୟାଳୟ କାର୍ଯ୍ୟାଳୟ ଖୋଲା ରହିବ। ଏଥିପାଇଁ ଶିକ୍ଷକ, କନିଷ୍ଠ ସହାୟକ ଓ ପିଅନଙ୍କୁ ନେଇ ଏକ ରୋଷ୍ଟର ଡ୍ୟୁଟି ତାଲିକା ପ୍ରସ୍ତୁତ କରାଯିବ। ସ୍କୁଲର ସମ୍ପତ୍ତି ଯଥା ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରି, ବିଜ୍ଞାନାଗାର ଓ ପାନୀୟ ଜଳ ସୂତ୍ରଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ବ ରୋଷ୍ଟର ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଉପରେ ନ୍ୟସ୍ତ ରହିବ।

କାଳବୈଶାଖୀ ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଧାନଶିକ୍ଷକ ଓ ଡ୍ୟୁଟିରେ ଥିବା କର୍ମଚାରୀମାନେ ବିଦ୍ୟାଳୟ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବେ।ସ୍କୁଲ୍ ପୁନଃ ଖୋଲିବାର ଏକ ଦିନ ପୂର୍ବରୁ ସମ୍ପୂର୍ଣ୍ଣ କ୍ୟାମ୍ପସର ପରିମଳ ଓ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଏହି ସମସ୍ତ ନିର୍ଦେଶାବଳୀକୁ କଡାକଡି ଭାବେ ପାଳନ କରିବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *