Thu. Apr 30th, 2026

ନ୍ୟୁଜ ଡେକ୍ସ : ଶିକ୍ଷାବିତ୍‌ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟପ୍ରଦେଶର ଛତରପୁରସ୍ଥିତ ଶ୍ରୀକ୍ରିଷ୍ଣା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ଅବସରରେ ଏହି ସମ୍ମାନ ତାଙ୍କୁ ଅର୍ପଣ କରାଯାଇଥିଲା। ଏହା ଶ୍ରୀ ସାମନ୍ତଙ୍କ ୭୨ତମ ସମ୍ମାନସୂଚକ ଡକ୍ଟରେଟ୍ ଭାବେ ଗଣ୍ୟ ହେଉଛି।ଶିକ୍ଷା ମାଧ୍ୟମରେ ସମାଜର ଉନ୍ନତି ଓ ପରିବର୍ତ୍ତନରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଛି।

କାର୍ଯ୍ୟକ୍ରମରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର, ମଧ୍ୟପ୍ରଦେଶ ଉଚ୍ଚଶିକ୍ଷା ମନ୍ତ୍ରୀ ଇନ୍ଦର ସିଂହ ପରମାର, ପୂର୍ବତନ ପର୍ଯ୍ୟଟନ ବିକାଶ ନିଗମ ଅଧ୍ୟକ୍ଷ ତପନ ଭୌମିକ ସହ ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ।ଏହା ସହ ବିଶ୍ୱବିଦ୍ୟାଳୟର କୁଳାଧିପତି ଡ଼ା. ବ୍ରିଜେନ୍ଦ୍ର ସିଂହ ଗୌତମ, ଚେୟାରମ୍ୟାନ ଡ଼ା. ପୁଷ୍ପେନ୍ଦ୍ର ସିଂହ ଗୌତମ ଓ କୁଳପତି ପ୍ରଫେସର ଅମିତ କୁମାର ଜୈନଙ୍କ ଉପସ୍ଥିତିରେ ସମ୍ମାନ ଅର୍ପଣ କରାଯାଇଥିଲା। କର୍ଣ୍ଣାଟକର ରାଜ୍ୟପାଳ ଥାୱାର ଚାନ୍ଦ ଗେହଲୋଟ୍ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଥିବା ସତ୍ୱେ ଅସୁସ୍ଥତା କାରଣରୁ ଉପସ୍ଥିତ ହୋଇପାରିନଥିଲେ ଏବଂ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଥିଲେ।

ସମ୍ମାନ ପ୍ରାପ୍ତି ପରେ ଅଚ୍ୟୁତ ସାମନ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇ କହିଥିଲେ ଯେ, ଗତ ତିନି ଦଶକ ଧରି ସେ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ଏହି ସମ୍ମାନ ତାଙ୍କୁ ଆଗାମୀଦିନରେ ଅଧିକ କାମ କରିବାକୁ ପ୍ରେରିତ କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଏହି ସଫଳତା କିଟ୍ ଓ କିସ୍‌ର ସମସ୍ତ କର୍ମଚାରୀଙ୍କ ପରିଶ୍ରମର ଫଳ ଓ ସେହିପାଇଁ ଏହି ସମ୍ମାନକୁ ସମସ୍ତଙ୍କୁ ଉତ୍ସର୍ଗ କରୁଛନ୍ତି।

Leave a Reply

Your email address will not be published. Required fields are marked *