ନ୍ୟୁଜ ଡେକ୍ସ : ରାଜ୍ୟ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲି ଶେଷ ହୋଇଛି। ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ଓ ସଶକ୍ତୀକରଣ ପ୍ରସଙ୍ଗକୁ ନେଇ ଗୃହରେ ଦୀର୍ଘ ସମୟ ଧରି ଚର୍ଚ୍ଚା ହୋଇଥିଲା। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଆଲୋଚନା ରାତି ୧୨ଟା ୪୫ ମିନିଟ୍ ପର୍ଯ୍ୟନ୍ତ, ପ୍ରାୟ ୧୦ ଘଣ୍ଟା ଧରି ଚାଲିଥିଲା।
ଏଥିରେ ଶାସକ ଓ ବିରୋଧୀ ଦଳର ପ୍ରାୟ ୪୦ ଜଣ ସଦସ୍ୟ ନିଜ ମତ ପ୍ରକାଶ କରିଥିଲେ।ତେବେ ମହିଳା ସଂରକ୍ଷଣ ଓ ସୁରକ୍ଷାକୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡି ମଧ୍ୟରେ ଜୋରଦାର ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ କଡ଼ା ଭାଷାରେ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ବିରୋଧୀ ଦଳ ମହିଳାଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ, କିନ୍ତୁ ବର୍ତ୍ତମାନ ସେହି ପରିସ୍ଥିତିରେ ପରିବର୍ତ୍ତନ ଆସିଛି।
ଡିଲିମିଟେସନ୍ ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ ବିରୋଧୀ ଦଳ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ମହିଳା ସଂରକ୍ଷଣ ବିଲକୁ ବର୍ଷ ବର୍ଷ ଧରି ବିଳମ୍ବ କରିଥିଲେ। ଏହାର ପରିଣାମ ସ୍ୱରୂପ ଆଜି ସେମାନେ ଜନଆକ୍ରୋଶର ସମ୍ମୁଖୀନ ହେଉଛନ୍ତି। ସେ ଆହୁରି କହିଥିଲେ ଯେ ମୋଦି ସରକାର ମହିଳାଙ୍କୁ ସମାଜର ସାରଥୀ ଭାବେ ଦେଖୁଛନ୍ତି ଏବଂ ଆଗାମୀ ଦିନରେ ସେମାନେ ନିଜ ଅଧିକାରରେ ନେତୃତ୍ୱ ନେବେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ କଟାକ୍ଷ କରିଥିଲେ। ମହିଳା ସଶକ୍ତୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମୟରେ ଗୃହରେ ସେମାନଙ୍କ ଅଳ୍ପ ସମୟ ଉପସ୍ଥିତିକୁ ସେ ଅନୁଚିତ ବୋଲି ଉଲ୍ଲେଖ କରିଥିଲେ।
ସେହିପରି ପୂର୍ବ ସରକାରର ୨୪ ବର୍ଷିଆ ଶାସନକୁ ଆଲୋଚନା କରି ମୁଖ୍ୟମନ୍ତ୍ରୀ ବିଭିନ୍ନ ଘଟଣା ଉଠାଇଥିଲେ ଏବଂ ପ୍ରଶାସନିକ ବିଫଳତା ନେଇ ପ୍ରଶ୍ନ କରିଥିଲେ। ବର୍ତ୍ତମାନର ସରକାର ମହିଳା ହିଂସା ପ୍ରତି ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରୁଥିବା ଓ ଦଣ୍ଡବିଧାନ ହାର ବଢ଼ାଇଥିବା ଦାବି କରାଯାଇଛି।ଏହି ଦୀର୍ଘ ଆଲୋଚନା ମଧ୍ୟରେ ମହିଳା ସଶକ୍ତୀକରଣକୁ ନେଇ ଭବିଷ୍ୟତର ରାଜନୈତିକ ଦିଗ ଓ ନୀତି ଉପରେ ସ୍ପଷ୍ଟ ସନ୍ଦେଶ ମିଳିଥିବା ମତ ପ୍ରକାଶ ପାଇଛି।

