Fri. May 1st, 2026

ନ୍ୟୁଜ ଡେକ୍ସ : ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଥିବାରୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ପବନ ଓ ବର୍ଷାରେ ଅନେକ ସ୍ଥାନରେ ଘରର ଛପର ଉଡ଼ିଯାଇଥିବା ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଛି। କଟକ ସତରୀଚଉରା ଛକରେ ପ୍ରାୟ ୩୦ ଫୁଟର ହୋର୍ଡିଂ କାଳବୈଶାଖୀ ପ୍ରଭାବରେ ଭୁଶୁଡ଼ି ପଡ଼ିଛି।

ବାଙ୍କୀ ଅଞ୍ଚଳରେ ଝଡ଼ ତୋଫାନ ସହ ବର୍ଷାର ପ୍ରଭାବରେ ବହୁ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ି ରାସ୍ତା ଅବରୋଧ ହୋଇଛି। ରାମଚନ୍ଦ୍ରପୁର କଳାପଥର ରାସ୍ତାରେ ଗାଡ଼ିଗୁଡ଼ିକ ଦୁଇ ପଟରେ ଅଟକି ରହିଥିବା ବେଳେ ବାଙ୍କୀ ଅଗ୍ନିଶମ ବିଭାଗ ଗଛ କାଟି ରାସ୍ତା ସଫା କରୁଛନ୍ତି।ଅନୁଗୁଳରେ ମଧ୍ୟ ଏହି କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ବର୍ଷା ଓ ଝଡ଼ରେ ସହରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବାରୁ ରାସ୍ତା ବ୍ଲକ ହୋଇଯାଇଛି ଓ ୫୫ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବନ୍ଦ ହୋଇଯାଇଛି। ସ୍ଥାନୀୟ ଲୋକ ଓ ଯାତ୍ରୀଙ୍କ ସହଯୋଗରେ ରାସ୍ତା ସଫା କରାଯାଉଛି।ପାରାଦୀପରେ ଦୁଇ ଘଣ୍ଟା ଧରି ପବନ ଓ ବର୍ଷା ଚାଲିଥିବା ବେଳେ ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି।

ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ କୁଆପଥର ବର୍ଷା ହୋଇଥିବାରୁ ଚାଷୀମାନଙ୍କ ରବି ଫସଲ ଓ ପନିପରିବା ଚାଷରେ କ୍ଷତି ହେବା ଆଶଙ୍କା ଦେଖାଯାଇଛି।ନରସିଂହପୁର ବ୍ଲକରେ ବଜ୍ରପାତ ଘଟି ଏକାଧିକ ଗଛ ଜଳିଯାଇଥିବା ବେଳେ ନୂଆପାଟଣା ଗାଁର ବିଶ୍ୱଜିତ ମାଝୀ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।ଭୁବନେଶ୍ୱର ଓ କଟକରେ ଗତକାଲି ସନ୍ଧ୍ୟାରୁ ଆଜି ସକାଳ ପର୍ଯ୍ୟନ୍ତ ବର୍ଷା ଲାଗିରହିଥିବା ବେଳେ ପାଣିପାଗ ବିଭାଗ ଆଗାମୀ କିଛି ଘଣ୍ଟା ମଧ୍ୟରେ ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ବଜ୍ରପାତ ସହ ପବନ ବହିବା ସମ୍ଭାବନା ଜଣାଇଛି।

ପବନର ବେଗ ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ଅନୁମାନ କରାଯାଇଛି।ଏହା ସହ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲା ପାଇଁ ଯେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ଭାବ୍ୟ ବଜ୍ରପାତ ଓ ବର୍ଷାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସତର୍କ ରହିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *