Sat. May 2nd, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଏବେ କାଳବୈଶାଖୀର ପ୍ରଭାବ ଜାରି ରହିଛି ଏବଂ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବାର ସମ୍ଭାବନା ରହିଛି। ଆବହାବିଭାଗର ସତର୍କତା ଅନୁସାରେ ଆସନ୍ତା ଦୁଇ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଆଜି ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ବିଜୁଳି ଘଡଘଡି ସହ ବର୍ଷା ଓ ଝଡ଼ ପାଇଁ ସତର୍କତା ଜାରି କରାଯାଇଛି।ପବନର ବେଗ ୫୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରିବାର ଆଶଙ୍କା ରହିଛି।

ଗତ କିଛି ଦିନ ଧରି କାଳବୈଶାଖୀର ପ୍ରଭାବରେ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଦେଖାଯାଇଛି। ପ୍ରବଳ ବର୍ଷା ଓ ଝଡ଼ ପବନ ଫଳରେ ଘର ଛପର ଉଡ଼ିଯାଇଥିବାବେଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଛି।ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଓ ପାଶ୍ୱର୍ବତୀ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଥିଲା। କଳାହାଣ୍ଡିଆ ମେଘ ସହ ଜୋର୍ ବର୍ଷା ଓ ପବନରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ମଧ୍ୟରାତ୍ରରେ କାଳବୈଶାଖୀ ଭୟାବହ ରୂପ ଧାରଣ କରିଥିଲା। ବଜ୍ରାଘାତ ସହ ପ୍ରଚଣ୍ଡ ଝଡ଼ ହେବାରୁ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା। ଫଳରେ ଦୀର୍ଘ ସମୟ ଧରି ଯାତାୟାତ ବ୍ୟବସ୍ଥା ବିଘ୍ନିତ ହୋଇଥିଲା।ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ ରହିବାକୁ ଓ ଅପରିହାର୍ଯ୍ୟ କାମ ଛାଡ଼ି ବାହାରୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *