ନ୍ୟୁଜ ଡେକ୍ସ : ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷାକୁ ନେଇ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ମୋଟ ୮ ହଜାର ୩୬୪ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ସୂଚନା ମିଳିଛି। କେହି ଗୋଟିଏ ବିଷୟରେ ପରୀକ୍ଷା ଦେଇଥିବାବେଳେ କେହି ଦୁଇଟି ବିଷୟରେ ଅନୁପସ୍ଥିତ ରହିଛନ୍ତି। ଅନେକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ମଧ୍ୟ ପରୀକ୍ଷା କେନ୍ଦ୍ରକୁ ଆସିନଥିବା ଜଣାପଡ଼ିଛି।ଏହି ପରିସ୍ଥିତିକୁ ଗଭୀରତାର ସହ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାରଣ ଖୋଜିବାରେ ଲାଗିପଡ଼ିଛି।
ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି। ସେଥିସହ ଅନୁପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ସଚେତନ କରିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି।ଜିଲ୍ଲା ଭିତ୍ତିକ ତଥ୍ୟ ଅନୁସାରେ କେନ୍ଦୁଝରରେ ସର୍ବାଧିକ ୭୫୨ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି। ମୟୂରଭଞ୍ଜରେ ୭୫୦, ବଲାଙ୍ଗିରରେ ୬୪୦, ବାଲେଶ୍ବରରେ ୬୨୭ ଏବଂ ଗଞ୍ଜାମରେ ୫୨୦ ଜଣ ଅନୁପସ୍ଥିତ ଥିବାବେଳେ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଏହି ପ୍ରବୃତ୍ତି ଦେଖାଯାଇଛି।ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ମେ ୮ରୁ ୧୮ ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ କରାଯିବ।
ଏହା ମାଧ୍ୟମରେ ଯେମାନେ ପରୀକ୍ଷା ଦେଇପାରିନଥିଲେ ସେମାନେ ପୁନର୍ବାର ଅବସର ପାଇବେ।ଏହି ଘଟଣାକୁ ଗଭୀରତାର ସହ ନେଇ ବିଭାଗୀୟ ମନ୍ତ୍ରୀ ଓ ଶିକ୍ଷା ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବାର କାରଣ ଖୋଜିବା ସହ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସପ୍ଲିମେଣ୍ଟାରୀ କିମ୍ବା ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ପରୀକ୍ଷା ଦେବାର ସୁଯୋଗ ଦେବାକୁ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦିଆଯାଇଛି।

