ନ୍ୟୁଜ ଡେକ୍ସ : ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣ ଅଞ୍ଚଳରେ ଗତ କିଛି ଦିନ ଧରି ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଥିବାରୁ ଚିନ୍ତା ବଢ଼ିଛି । କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ ଏହି ଝଟ୍କା ଅନୁଭୂତ ହୋଇଛି । ଯଦିଓ ତୀବ୍ରତା କମ୍ ଥିବାରୁ କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ, ତଥାପି ବିଶେଷଜ୍ଞମାନେ ଏହାକୁ ଗୁରୁତ୍ୱ ସହିତ ନେଉଛନ୍ତି ।
ଭୂତତ୍ତ୍ୱବିତମାନଙ୍କ ମତାନୁସାରେ, ଏହି ଭୂକମ୍ପ ପଛରେ ଏକ ପୁରାତନ ସୁପ୍ତ ଫଲ୍ଟ ଲାଇନ ସକ୍ରିୟ ହୋଇଥିବାର ସଙ୍କେତ ମିଳୁଛି । ପୂର୍ବଘାଟ ପର୍ବତମାଳାରୁ ଛତିଶଗଡ଼ର ବସ୍ତର ପର୍ଯ୍ୟନ୍ତ ଥିବା ଏହି ଫଲ୍ଟ ଲାଇନ ଦୀର୍ଘଦିନ ଧରି ନିଷ୍କ୍ରିୟ ଥିଲା । କିନ୍ତୁ ହଠାତ୍ ଏହାର ସକ୍ରିୟତା ବଢ଼ିବା ଏକ ନୂଆ ଭୂତାତ୍ତ୍ୱିକ ପରିସ୍ଥିତିକୁ ସୂଚିତ କରୁଛି । ଆଇଆଇଟି ଖଡଗପୁରର ଭୂତତ୍ତ୍ୱ ବିଭାଗର ବରିଷ୍ଠ ପ୍ରଫେସର ୱିଲିୟମ ମହାନ୍ତିଙ୍କ କହିବାନୁସାରେ, ଏହି ଭୂକମ୍ପଗୁଡ଼ିକ ମୃଦୁ ରୁ ମଧ୍ୟମ ଧରଣର ହେଲେ ମଧ୍ୟ ଏହାକୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ । ଏହି ଫଲ୍ଟ ଲାଇନ କାହିଁକି ସକ୍ରିୟ ହେଉଛି, ତାହା ଉପରେ ନିୟମିତ ନିରୀକ୍ଷଣ ଆବଶ୍ୟକ ।ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଭୂକମ୍ପଗୁଡ଼ିକର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ବେଶି ଗଭୀର ନୁହେଁ ।
ଏହି କାରଣରୁ ତୀବ୍ରତା କମ୍ ଥିଲେ ମଧ୍ୟ ବଡ଼ ଅଞ୍ଚଳରେ ଏହା ଅନୁଭୂତ ହେଉଛି ।ଗତ ଏପ୍ରିଲ ୨୯ରେ ୪.୧ ତୀବ୍ରତାର ଭୂକମ୍ପ ନବରଙ୍ଗପୁର ଓ କଳାହାଣ୍ଡିରେ ଅନୁଭୂତ ହୋଇଥିଲା, ଯାହାର ଗଭୀରତା ମାତ୍ର ୨୪ କିମି ଥିଲା । ତାପୂର୍ବରୁ ଏପ୍ରିଲ ୪ରେ କୋରାପୁଟ ଓ ସମ୍ପ୍ରତି ବଲାଙ୍ଗିରରେ ମଧ୍ୟ ମୃଦୁ ଝଟକା ରେକର୍ଡ ହୋଇଛି ।ଭୂତତ୍ତ୍ୱବିତମାନଙ୍କ ମତରେ ଓଡ଼ିଶା ଭୂକମ୍ପ ପ୍ରବଣତାର ଜୋନ୍-୩ ଅଞ୍ଚଳରେ ଥିବାରୁ ବଡ଼ ଭୂକମ୍ପ ସମ୍ଭାବନା କମ୍ । ତଥାପି ମଧ୍ୟମ ଧରଣର ଭୂକମ୍ପକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।ଏହି ପରିସ୍ଥିତିରେ ବିଶେଷଜ୍ଞମାନେ ସତର୍କ ରହିବା ସହ ନିୟମିତ ଭୂତାତ୍ତ୍ୱିକ ନିରୀକ୍ଷଣକୁ ଜୋର ଦେଇଛନ୍ତି ।

