ନ୍ୟୁଜ ଡେକ୍ସ : ରାଜ୍ୟ ସରକାରଙ୍କ ବହୁଚର୍ଚ୍ଚିତ ସୁଭଦ୍ରା ଯୋଜନାକୁ ନେଇ ଆସିଛି ଏକ ବଡ଼ ଖବର । ଯେଉଁ ଯୋଗ୍ୟ ହିତାଧିକାରୀମାନେ ଚତୁର୍ଥ କିସ୍ତିର ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇଥିଲେ, ସେମାନଙ୍କୁ ଆସନ୍ତା ମେ ୪ ତାରିଖରେ ଟଙ୍କା ପ୍ରଦାନ କରାଯିବ । ଏ ନେଇ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ଗତ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ରାଜ୍ୟର ୧ କୋଟି ୨ ଲକ୍ଷରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପଠାଯାଇଥିଲା । ପ୍ରତ୍ୟେକ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ମିଳିଥିଲା । କିନ୍ତୁ ସେହି ପର୍ଯ୍ୟାୟରେ ଅନେକ ଯୋଗ୍ୟ ମହିଳା ଟଙ୍କା ପାଇବାରୁ ବାଦ୍ ପଡ଼ିଥିବା ଅଭିଯୋଗ ଆସିଥିଲା ।ଏହାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରି ବଞ୍ଚିତ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରିଥିଲେ ।
ଉଦ୍ଦେଶ୍ୟ ହେଉଛି କୌଣସି ଯୋଗ୍ୟ ମହିଳା ଯୋଜନାରୁ ବଞ୍ଚିତ ନ ରହନ୍ତୁ । ଉପମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ଏପର୍ଯ୍ୟନ୍ତ ସମୁଦାୟ ୧,୨୩,୮୪୯ ଜଣ ବଞ୍ଚିତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଏହି ସମସ୍ତଙ୍କ ବ୍ୟାଙ୍କ ଖାତାକୁ ମେ ୪ ତାରିଖରେ ଅର୍ଥ ପ୍ରେଷଣ କରାଯିବ ।ଏହି ଘୋଷଣା ପରେ ଟଙ୍କା ପାଇନଥିବା ମହିଳାମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ମହିଳା ସଶକ୍ତୀକରଣ ଓ ଆର୍ଥିକ ସ୍ୱାଧୀନତା ଦିଗରେ ସରକାରଙ୍କ ଏହି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

