ନ୍ୟୁଜ ଡେକ୍ସ : ରାଜଧାନୀ ଦିଲ୍ଲୀରେ ଜନଗଣନା ୨୦୨୭ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପ୍ରଥମ ପର୍ଯ୍ୟାୟରେ ମେ ୧ ରୁ ମେ ୧୫ ପର୍ଯ୍ୟନ୍ତ ଲୋକମାନଙ୍କୁ ଅନ୍ଲାଇନ୍ ମାଧ୍ୟମରେ ସେଲ୍ଫ ଏନ୍ୟୁମେରେସନ୍ ଅର୍ଥାତ୍ ନିଜ ତଥ୍ୟ ନିଜେ ପୂରଣ କରିବାର ସୁବିଧା ଦିଆଯାଇଛି । ଏହି ସମୟରେ ସମସ୍ତ ୱାର୍ଡର ବାସିନ୍ଦାମାନେ ଘରେ ବସି ନିଜର ସୂଚନା ଅନ୍ଲାଇନ୍ରେ ଦେଇପାରିବେ । ମେ ୧୬ରୁ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ଆରମ୍ଭ ହେବ ।
ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଅନ୍ଲାଇନ୍ ପ୍ରକ୍ରିୟା ୧୫ ରୁ ୨୦ ମିନିଟ୍ରେ ସମ୍ପୂର୍ଣ୍ଣ କରାଯାଇପାରିବ । ଘରମାଲିକଙ୍କ ସହ ନୂଆ ଭଡ଼ାଟିଆମାନେ ମଧ୍ୟ ନିଜର ତଥ୍ୟ ନିଜେ ପୂରଣ କରିପାରିବେ । ଏହାଦ୍ୱାରା ସମୟ ବଞ୍ଚିବା ସହ ତଥ୍ୟରେ ଭୁଲ୍ ହେବାର ସମ୍ଭାବନା କମିଯିବ ।ଅନ୍ଲାଇନ୍ ଫର୍ମ ପୂରଣ ପାଇଁ ପ୍ରଥମେ ଅଫିସିଆଲ୍ ପୋର୍ଟାଲ୍ https://se.census.gov.in କୁ ଯାଇ ଲଗ୍-ଇନ୍ କରିବାକୁ ପଡିବ । ସେଠାରେ ରାଜ୍ୟ ଚୟନ କରି କ୍ୟାପ୍ଚା ପୂରଣ କରିବା ପରେ ହାଉସ୍ହୋଲ୍ଡ ରେଜିଷ୍ଟ୍ରେସନ୍ କରିବାକୁ ହେବ । ପରିବାରର ମୁଖ୍ୟଙ୍କ ନାମ ଏବଂ ଏକ ବୈଧ ମୋବାଇଲ୍ ନମ୍ବର ଦେବା ଆବଶ୍ୟକ । ପରବର୍ତ୍ତୀ ପଦକ୍ଷେପରେ ଭାଷା ଚୟନ କରି ଓଟିପି ମାଧ୍ୟମରେ ଭେରିଫିକେସନ୍ କରିବାକୁ ପଡିବ । ଏହାପରେ ଲୋକେସନ୍ ବିବରଣୀ ଦେଇ ମ୍ୟାପ୍ରେ ଘରର ସଠିକ୍ ସ୍ଥାନ ଚିହ୍ନଟ କରିବା ଦରକାର । ଘର ଓ ପରିବାର ସମ୍ବନ୍ଧୀୟ ତଥ୍ୟ ସହ ପାଣି, ବିଜୁଳି, ଶୌଚାଳୟ ଭଳି ସୁବିଧା ବିଷୟରେ ମଧ୍ୟ ସୂଚନା ଦେବାକୁ ହେବ ।ସମସ୍ତ ତଥ୍ୟ ପୂରଣ ପରେ ଏହାକୁ ଯାଞ୍ଚ କରି ଫାଇନାଲ୍ ସବମିଟ୍ କରିବାକୁ ପଡିବ ।
ସବମିସନ୍ ପରେ ଏକ ୧୧ ଅଙ୍କର SE ID ମିଳିବ, ଯାହାକୁ ଆଗାମୀ ପାଇଁ ସୁରକ୍ଷିତ ରଖିବା ଜରୁରୀ ।ପରେ ଜନଗଣନା ଅଧିକାରୀ ଘରକୁ ଆସିବାବେଳେ ଏହି SE ID ଦେଖାଇଲେ ପ୍ରକ୍ରିୟା ସମାପ୍ତ ହେବ । ଯଦି ତଥ୍ୟରେ ଅମିଳ ଥାଏ, ତେବେ ପୁଣିଥରେ ସଂଗ୍ରହ କରାଯିବ ।ଏହି ପ୍ରକ୍ରିୟାରେ ମୋଟ ୩୩ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ଏଥିରେ ଘରର ଗଠନ, ପରିବାର ସଦସ୍ୟ, ଇଣ୍ଟରନେଟ୍ ବ୍ୟବହାର ଓ ଯାନବାହନ ସମ୍ବନ୍ଧୀୟ ସୂଚନା ରହିଛି ।
ଘରକୁ ଘର ବୁଲି ସର୍ଭେ ମେ ୧୬ ରୁ ଜୁନ୍ ୧୪ ପର୍ଯ୍ୟନ୍ତ ଚାଲିବ । ଏହି ଜନଗଣନା କାର୍ଯ୍ୟ ପାଇଁ ପ୍ରାୟ ୫୦ ହଜାର ସରକାରୀ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ଗୋଟିଏ ମୋବାଇଲ୍ ନମ୍ବରରେ କେବଳ ଗୋଟିଏ ପରିବାର ରେଜିଷ୍ଟ୍ରେସନ୍ ହେବା ସହ ଅସମ୍ପୂର୍ଣ୍ଣ ଫର୍ମକୁ ଗଣନାରେ ଗ୍ରହଣ କରାଯିବ ନାହିଁ ।

