ନ୍ୟୁଜ ଡେକ୍ସ : ଛତିଶଗଡ଼ର କାଙ୍କେର ଜିଲ୍ଲାରେ ପୁଣିଥରେ ମାଓବାଦୀ ହିଂସା ଦେଖିବାକୁ ମିଳିଛି । ମାଓ ଦମନ ଅଭିଯାନ ସମୟରେ ଡିଆରଜିର ୩ ଜଣ ସାହସୀ ଯବାନ ସହିଦ ହୋଇଛନ୍ତି । ଏହି ଅଭିଯାନରେ ଯାଇଥିବାବେଳେ ମାଓବାଦୀମାନେ ପୂର୍ବରୁ ଯବାନମାନଙ୍କୁ ଟାର୍ଗେଟ୍ କରି ଆଇଇଡି ଖଞ୍ଜାଇଥିବା ଜଣାପଡ଼ିଛି ।ଏହି ବିସ୍ଫୋରଣରେ କୃଷ୍ଣ କୋମରା (ବସ୍ତର ଫାଇଟର୍ସ), ସୁଖରାମ ବଟ୍ଟୀ (ଡିଆରଜି ପ୍ରଭାରୀ ଟିଆଇ) ଓ ପରମାନନ୍ଦ କୋମରା ସହିଦ ହୋଇଛନ୍ତି ।
ଘଟଣାଟି ଛୋଟେବେଠିଆ ଥାନା ଅନ୍ତର୍ଗତ କୋଙ୍କର-ନାରାୟଣପୁର ସୀମା ନିକଟରେ ଘଟିଛି ।ସୂଚନା ଅନୁଯାୟୀ, ସୁରକ୍ଷାବଳ ବାରୁଦ ସୁଡଙ୍ଗକୁ ନିଷ୍କ୍ରିୟ କରିବା ପାଇଁ ସେଠାକୁ ପଠାଯାଇଥିଲେ । କିନ୍ତୁ ଅଭିଯାନ ସମୟରେ ହଠାତ୍ ଆଇଇଡି ବିସ୍ଫୋରଣ ଘଟି ୩ ଯବାନ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
କିନ୍ତୁ ଚିକିତ୍ସାଧୀନ ସମୟରେ ସେମାନଙ୍କର ମୃତ୍ୟୁ ଘଟିଛି ।ଉଲ୍ଲେଖନୀୟ ଯେ, ଗତ ମାର୍ଚ୍ଚ ୩୧ ତାରିଖରେ ରାଜ୍ୟ ସରକାର ଛତିଶଗଡ଼କୁ ନକ୍ସଲମୁକ୍ତ ଘୋଷଣା କରିଥିଲେ । ତଥାପି ଏହି ଘଟଣା ପରେ ଅଞ୍ଚଳରେ ପୁଣିଥରେ ଚିନ୍ତା ବଢ଼ିଛି । ସମ୍ଭାବ୍ୟ ମାଓ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

