Thu. May 7th, 2026

ନ୍ୟୁଜ ଡେକ୍ସ : ଭାରତର ପଶ୍ଚିମ ଭାଗକୁ ସମୃଦ୍ଧ କରିଥିବା ଗୁଜରାଟ ପରେ ବର୍ତ୍ତମାନ ପୂର୍ବ ଭାଗର ଅଭିବୃଦ୍ଧିର ନେତୃତ୍ୱ ନେବା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦୃଢ଼ ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅହମ୍ମଦାବାଦରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍-ଶୋରେ ଯୋଗଦେଇ ସେ କହିଛନ୍ତି ଯେ, ଦ୍ରୁତ ଅଭିବୃଦ୍ଧି ଏବଂ ରଣନୈତିକ ଯୋଜନା ଦ୍ୱାରା ଓଡ଼ିଶା ଏବେ ଶିଳ୍ପଜଗତ ପାଇଁ ବିଶାଳ ସୁଯୋଗ ସୃଷ୍ଟି କରିପାରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତିଯୋଗିତାମୂଳକ ପରିବେଶରେ ନିବେଶକମାନଙ୍କୁ ସୁବିଧାଜନକ ପରିସ୍ଥିତି ଦେଇ ଓଡ଼ିଶା ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବେ ଉଦୟ ହେଉଛି। ପୂର୍ବୋଦୟ ପରିକଳ୍ପନା ଅନୁସାରେ ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ରସ୍ଥଳ ଭାବେ ଗଢ଼ିତୋଳିବା ପାଇଁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ପ୍ରକାଶ କରିଛନ୍ତି।ଗୁଜରାଟ ଗସ୍ତର ପ୍ରଥମ ଦିନରେ ୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ଏବଂ ବ୍ୟବସାୟିକ ସଂଘମାନେ ଯୋଗଦେଇଥିଲେ। ଏହା ଓଡ଼ିଶାର ଶିଳ୍ପ ବ୍ୟବସ୍ଥା ପ୍ରତି ବଢୁଥିବା ଆତ୍ମବିଶ୍ୱାସକୁ ପ୍ରକାଶ କରୁଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବ ଭାରତର ଅଭ୍ୟୁଦୟ ସହିତ ଦେଶର ଅର୍ଥନୈତିକ ବିକାଶ ଅଧିକ ସନ୍ତୁଳିତ ହେବ ଏବଂ ଏଥିରେ ଓଡ଼ିଶା ମୁଖ୍ୟ ଭୂମିକା ନେବ।ସେ କହିଥିଲେ, ଓଡ଼ିଶା ଏବେ ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ପାଇଁ ସଜ୍ଜ ଅଟେ ଏବଂ ଶିଳ୍ପଜଗତକୁ ରାଜ୍ୟରେ ନିବେଶ କରିବାକୁ ଆମନ୍ତ୍ରଣ ଜଣାଇଛନ୍ତି।

ମିଳିତ ଉଦ୍ୟମ ଦ୍ୱାରା ଦେଶର ସମୃଦ୍ଧିରେ ଅବଦାନ ରଖିବାକୁ ସେ ଆହ୍ୱାନ କରିଛନ୍ତି।ଏହି ଅବସରରେ ବସ୍ତ୍ର ଓ ବୟନ ଶିଳ୍ପ ସହିତ ବିଭିନ୍ନ କ୍ଷେତ୍ରରେ ଆଲୋଚନା ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ୨୬ଟି ୱାନ୍-ଟୁ-ୱାନ୍ ବୈଠକରେ ଶିଳ୍ପପତିଙ୍କ ସହ ନିବେଶ ସୁଯୋଗ ଓ ନୀତିଗତ ସହାୟତା ବିଷୟରେ ମନ୍ଥନ କରିଥିଲେ।ସେ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କକୁ ଉଲ୍ଲେଖ କରି କହିଥିଲେ ଯେ, ପୁରୀର ଶ୍ରୀଜଗନ୍ନାଥ ଧାମରୁ ଦ୍ୱାରକା ପର୍ଯ୍ୟନ୍ତ ଏହି ସମ୍ପର୍କ ଅତ୍ୟନ୍ତ ଗଭୀର। ଗୁଜରାଟ ବସ୍ତ୍ର ଶିଳ୍ପରେ ଅଗ୍ରଣୀ ଥିବା ବେଳେ ଓଡ଼ିଶା ମଧ୍ୟ ଏହି କ୍ଷେତ୍ରରେ ଦ୍ରୁତ ଗତିରେ ଅଗ୍ରସର ହେଉଛି।ଭୌଗୋଳିକ ସୁବିଧା ଦୃଷ୍ଟିରୁ ଓଡ଼ିଶାର ଦୀର୍ଘ ସମୁଦ୍ରତଟ ଏବଂ ବନ୍ଦର ସଂଯୋଗ ଏହାକୁ ବିଶ୍ୱ ବଜାର ସହ ଯୋଡ଼ିବାରେ ସାହାଯ୍ୟ କରୁଛି। ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ଶକ୍ତିଶାଳୀ ଭିତ୍ତିଭୂମି ଏବଂ ସ୍ଥିର ନୀତି ଯୋଗୁଁ ଓଡ଼ିଶା ଏକ ଭବିଷ୍ୟତମୁଖୀ ଶିଳ୍ପ କେନ୍ଦ୍ର ଭାବେ ଗଢ଼ିଉଠୁଛି।ଅହମ୍ମଦାବାଦରେ ଆୟୋଜିତ ଏହି ରୋଡ୍-ଶୋ ଓଡ଼ିଶାର ଶିଳ୍ପ ଛବିକୁ ଦେଶବ୍ୟାପୀ ମଞ୍ଚରେ ଆହୁରି ମଜବୁତ କରିଛି। ଆଗାମୀ ଦିନରେ ଏଭଳି ନିବେଶକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାର ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବାରେ ଲାଗି ରହିବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *