Thu. May 7th, 2026

ନ୍ୟୁଜ ଡେକ୍ସ : ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ପ୍ରବଳ ପବନରେ କେତେକ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତାରେ ପଡ଼ିଥିବାବେଳେ ଅନ୍ୟ କେତେକ ଅଞ୍ଚଳରେ ଘରର ଛପର ଉଡ଼ିଯାଇଛି। କିଛି ସ୍ଥାନରେ କୁଆପଥର ମାଡ଼ ମଧ୍ୟ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲାର ଚିକିଟି, ଦିଗପହଣ୍ଡି, ସାନଖେମୁଣ୍ଡି ଓ ପାତ୍ରପୁର ଅଞ୍ଚଳରେ ଏହାର ଭାରୀ ପ୍ରଭାବ ପଡ଼ିଛି।

ଏହା ସହିତ ଉପକୂଳ, ପଶ୍ଚିମ, ଦକ୍ଷିଣ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ବଜ୍ରପାତ ସହିତ ଝଡ଼ବର୍ଷା ହୋଇଛି। ସୁବର୍ଣ୍ଣପୁରରେ ସର୍ବାଧିକ ୩୦ ମି.ମି. ବର୍ଷା ରେକର୍ଡ ହୋଇଥିବାବେଳେ ଗୋପାଳପୁରରେ ୮.୬ ମି.ମି. ଓ ଖୋରଧାରେ ୫ ମି.ମି. ବର୍ଷା ହୋଇଛି।ଭୁବନେଶ୍ୱର, ଚାନ୍ଦବାଲି, କଟକ, ପାରାଦୀପ, କେନ୍ଦୁଝର, ବଲାଙ୍ଗିର, ଦାରିଙ୍ଗବାଡ଼ି, ନୟାଗଡ଼, ବୌଦ୍ଧ, ରାୟଗଡ଼ା, ଢେଙ୍କାନାଳ, ଖୋରଧା ଓ ରାଉରକେଲାରେ ମଧ୍ୟ ବଜ୍ରପାତ ସହିତ ବର୍ଷା ଦେଖାଯାଇଛି। କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ଦିନ ତାପମାତ୍ରା ହ୍ରାସ ପାଇଛି। ପଶ୍ଚିମ ଓଡ଼ିଶାରେ ପୂର୍ବରୁ ୪୦ ଡିଗ୍ରୀ ଉପରେ ରହୁଥିବା ତାପମାତ୍ରା ବର୍ତ୍ତମାନ ୩୫ରୁ ୩୬ ଡିଗ୍ରୀ ମଧ୍ୟରେ ରହିଛି।

ଉପକୂଳ ଅଞ୍ଚଳରେ ଏହା ୩୨ରୁ ୩୩ ଡିଗ୍ରୀ ମଧ୍ୟରେ ରହିଛି। ମାଲକାନଗିରିରେ ୩୯.୪ ଡିଗ୍ରୀ, ଭୁବନେଶ୍ୱରରେ ୩୪.୨ ଡିଗ୍ରୀ ଓ କଟକରେ ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି।ଏହି ସବୁ ଅଞ୍ଚଳର କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଝଡ଼ବର୍ଷା ସହ କୁଆପଥର ମାଡ଼ ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *