ନ୍ୟୁଜ ଡେକ୍ସ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ନିକଟରେ ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳ ପରେ ପୁନଃ ଖାତା ଯାଞ୍ଚ (ରିଚେକିଂ) ପାଇଁ ପ୍ରକ୍ରିୟା ଆସନ୍ତା ମେ ୧୧ରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।ବୋର୍ଡର ସୂଚନାନୁସାରେ, ପ୍ରତ୍ୟେକ ବିଷୟର ସବ୍ଜେକ୍ଟିଭ ଓ ଅବ୍ଜେକ୍ଟିଭ ଖାତା ରିଚେକିଂ ସହ ଖାତାର ଅବିକଳ ନକଲ ପାଇଁ ଛାତ୍ରଛାତ୍ରୀମାନେ ଆବଶ୍ୟକ ଦେୟ ଦେଇ ଅନଲାଇନ୍ରେ ଆବେଦନ କରିପାରିବେ।
ଆବେଦନ ପ୍ରକ୍ରିୟା ସମ୍ପର୍କିତ ନିୟମାବଳୀ ବୋର୍ଡର ଆଧିକାରିକ ୱେବସାଇଟ୍ www.bseodisha.ac.inରେ ଉପଲବ୍ଧ ହେବ।ଆବେଦନ ପ୍ରକ୍ରିୟା ୨୨ ତାରିଖ ମଧ୍ୟରାତ୍ର ସୁଦ୍ଧା ଚାଲିବ ଓ ୨୪ ଘଣ୍ଟିଆ ଅନଲାଇନ୍ ସୁବିଧା ଉପଲବ୍ଧ ରହିବ। ପ୍ରକ୍ରିୟା ସମାପ୍ତ ପରେ ବୋର୍ଡ ପକ୍ଷରୁ ସଂଶୋଧିତ ମାର୍କସିଟ୍ ପ୍ରଦାନ କରାଯିବ।
ଏଥିସହ ଆବେଦକମାନେ ନିଜ ଖାତାର ଅବିକଳ ନକଲ ୱେବସାଇଟ୍ରୁ ଡାଉନଲୋଡ୍ କରିପାରିବେ।ଏହା ସହିତ ମଧ୍ୟମା ସଂସ୍କୃତ ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀମାନେ ମେ ୧୧ରୁ ୨୫ ତାରିଖ ମଧ୍ୟରେ ବୋର୍ଡର ମୁଖ୍ୟ ଓ ଶାଖା କାର୍ଯ୍ୟାଳୟରେ ଅଫଲାଇନ୍ ଭାବେ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ଜଣାଯାଇଛି।

