ନ୍ୟୁଜ ଡେକ୍ସ : ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣାକୁ ନେଇ ସରକାର ଗୁରୁତର ଚିନ୍ତା ବ୍ୟକ୍ତ କରିଥିବା ବେଳେ ଏହାକୁ ହ୍ରାସ କରିବା ପାଇଁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଜୋର ଦିଆଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ପରିବହନ କମିସନର ଅମିତାଭ ଠାକୁର ସମସ୍ତ ଉପ ପରିବହନ ଆୟୁକ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ଓ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି।
ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ସ୍ଥଳୀୟ ଭାବେ ଯୋଗଦେଇଥିବା ବେଳେ ଆରଟିଓମାନେ ଆଭାସୀ ମାଧ୍ୟମରେ ଯୁକ୍ତ ହୋଇଥିଲେ। ପ୍ରତ୍ୟେକ ଜିଲ୍ଲାରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ପରିବହନ କମିସନର କହିଛନ୍ତି ଯେ, ପ୍ରତିଦିନ ଘଟୁଥିବା ସଡ଼କ ଦୁର୍ଘଟଣା ଚିନ୍ତାଜନକ ସ୍ଥିତି ସୃଷ୍ଟି କରୁଛି। ଏହାକୁ ରୋକିବା ପାଇଁ କଠୋର ଏନଫୋର୍ସମେଣ୍ଟ ଆବଶ୍ୟକ। ଅନେକ ଚାଳକ ସଡ଼କ ନିୟମ ମାନୁନଥିବାରୁ ନିଜ ଓ ଅନ୍ୟମାନଙ୍କ ଜୀବନ ବିପଦରେ ପକାଇ ଦେଉଛନ୍ତି।
ବିଶେଷକରି ମଦ୍ୟପାନ କରି ଗାଡ଼ି ଚଲାଇବା, ମାଲବାହୀ ଗାଡ଼ିରେ ଯାତ୍ରୀ ବୋଝାଇବା, ରାଜପଥରେ ଅବୈଧ ପାର୍କିଂ, ଗାଡ଼ିର ଅବୈଧ ପରିବର୍ତ୍ତନ ଓ ଚଳାଇବା ବେଳେ ମୋବାଇଲ ବ୍ୟବହାର ଭଳି ଅନିୟମିତତାକୁ ରୋକିବାକୁ ଜୋର ଦିଆଯାଇଛି। ଏହାସହ ଜିଲ୍ଲାସ୍ତରରେ ବିଭିନ୍ନ ବିଭାଗ ଓ ପ୍ରଶାସନର ସମନ୍ୱୟରେ ସମସ୍ୟାର ସମାଧାନ କରିବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି।କେବଳ ନିୟନ୍ତ୍ରକ ଭୂମିକା ନୁହେଁ, ଆରଟିଓମାନେ ଜନସାଧାରଣଙ୍କୁ ସଚେତନ କରିବାରେ ଏଜୁକେଟର୍ ଭୂମିକା ମଧ୍ୟ ନିଭାଇବେ। ସଡ଼କ ନିୟମ ଉଲ୍ଲଙ୍ଘନର ଭୟାବହ ପରିଣାମ ବିଷୟରେ ସଚେତନତା ଆଣିବାକୁ ଜନସହଭାଗିତାକୁ ଗୁରୁତ୍ୱ ଦିଆଯାଇଛି।ଏହାସହ ଆରଟିଓମାନଙ୍କ ପ୍ରଦର୍ଶନ ମୂଲ୍ୟାୟନରେ ସଡ଼କ ସୁରକ୍ଷା କାର୍ଯ୍ୟକୁ ମଧ୍ୟ ମାନଦଣ୍ଡ ଭାବେ ଧରାଯିବ ବୋଲି ସୂଚନା ମିଳିଛି। ବୈଠକରେ ଗତବର୍ଷର ପରିବହନ ସେବା ପ୍ରଦାନର ମୂଲ୍ୟାୟନ ମଧ୍ୟ କରାଯାଇଥିଲା।
ଏହି ଅବସରରେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ସଂସ୍କାର, ଗାଡ଼ିର ଫିଟନେସରେ ସ୍ୱଚ୍ଛତା ଏବଂ ବେପରୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆଧୁନିକ ପ୍ରଯୁକ୍ତି ବ୍ୟବହାର ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଯାତ୍ରୀବାହୀ ଯାନଗୁଡ଼ିକରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନଗୁଡ଼ିକର ସମୀକ୍ଷା କରି ସୁଧାରମୂଳକ ପଦକ୍ଷେପ ନେବାକୁ କୁହାଯାଇଛି।ସରକାରଙ୍କ ଏହି ସମନ୍ୱିତ ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ସଡ଼କ ସୁରକ୍ଷାକୁ ଆହୁରି ମଜବୁତ କରିବା ଓ ଦୁର୍ଘଟଣା ହ୍ରାସ କରିବା ଲକ୍ଷ୍ୟ ରଖାଯାଇଛି।

