Thu. May 7th, 2026

ନ୍ୟୁଜ ଡେକ୍ସ : ଆଗାମୀ ମୌସୁମୀ-୨୦୨୬କୁ ଦୃଷ୍ଟିରେ ରଖି ସହରାଞ୍ଚଳର ସୁରକ୍ଷା ଓ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ଏହି ମାର୍ଗଦର୍ଶିକାକୁ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଙ୍କୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ କୁହାଯାଇଛି।ସରକାର ସ୍ପଷ୍ଟ କରିଛନ୍ତି ଯେ, ନିର୍ଦ୍ଦେଶାବଳୀର କାର୍ଯ୍ୟାନୁଷ୍ଠାନରେ ଯଦି କୌଣସି ଅବହେଳା ପରିଲକ୍ଷିତ ହୁଏ, ତେବେ ତାହାକୁ ଗୁରୁତର ଭାବେ ଗ୍ରହଣ କରାଯିବ।

ଏହା ବିପର୍ଯ୍ୟୟ ପରିଚାଳନା ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି।ପ୍ରସ୍ତୁତି ଯୋଜନାର ଅଂଶ ଭାବେ ସମସ୍ତ ଡ୍ରେନେଜ୍ ସିଷ୍ଟମ୍ ଓ ମ୍ୟାନହୋଲର ୧୦୦ ପ୍ରତିଶତ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି। କ୍ଷତିଗ୍ରସ୍ତ ମ୍ୟାନହୋଲଗୁଡ଼ିକୁ ତୁରନ୍ତ ମରାମତି କିମ୍ବା ସୁରକ୍ଷିତ ଭାବେ ଢାକିବାକୁ କୁହାଯାଇଛି। ଯେଉଁଠାରେ ମରାମତି ବାକି ରହିଛି, ସେଠାରେ ସତର୍କତା ସୂଚନା ପଟିକା ଓ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ମିଳିଛି। ଏଥିସହ ନାଳ ସଫାଇ ଓ ଜବରଦଖଲ ଉଚ୍ଛେଦକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସହରର ତଳିଆ ଓ ଜଳବନ୍ଦୀ ପ୍ରବଣ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ସେଠାରେ ପମ୍ପ ସେଟ୍ ଓ ଡିଜି ସେଟ୍ ବ୍ୟବସ୍ଥା କରାଯିବ। ଏହାସହ ସହରଗୁଡ଼ିକୁ ବିଭିନ୍ନ ଜୋନ୍‌ରେ ବିଭକ୍ତ କରି ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯିବ, ଯାହା ଜରୁରୀ ସମୟରେ ତୁରନ୍ତ କାର୍ଯ୍ୟକ୍ଷମତାକୁ ବଢ଼ାଇବ।ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ ଓ କଲେଜଗୁଡ଼ିକୁ ଅସ୍ଥାୟୀ ସହାୟତା କେନ୍ଦ୍ର ଭାବେ ପ୍ରସ୍ତୁତ ରଖାଯିବ।

ଏଠାରେ ପାନୀୟ ଜଳ, ପରିମଳ ଓ ବିଦ୍ୟୁତ ସେବା ସୁନିଶ୍ଚିତ କରାଯିବା ସହିତ ମହିଳା, ଶିଶୁ ଓ ବୃଦ୍ଧଙ୍କ ସୁରକ୍ଷା ପାଇଁ ପ୍ରୟୋଜନୀୟ ବ୍ୟବସ୍ଥା ନିଆଯିବ।ଡେଙ୍ଗୁ ଓ ମ୍ୟାଲେରିଆ ପ୍ରତିରୋଧ ପାଇଁ ଫଗିଂ ଓ ଲାର୍ଭିସାଇଡ୍ ସିଞ୍ଚନକୁ ଜୋରଦାର କରାଯିବ। ଡ୍ରେନେଜ୍‌ରେ ଆବର୍ଜନା ପକାଇବା ଓ ପାଣି ଜମା ହେବାକୁ କଡ଼ା ନଜରରେ ରଖାଯିବ।

ସମସ୍ତ ପୌରାଞ୍ଚଳରେ ୨୪ ଘଣ୍ଟା କାର୍ଯ୍ୟକ୍ଷମ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯିବ, ଯାହା ମାଧ୍ୟମରେ ପାନୀୟ ଜଳ, ଡ୍ରେନେଜ୍ ଓ ରାସ୍ତା ସମସ୍ୟା ସମ୍ପର୍କିତ ଅଭିଯୋଗର ସମାଧାନ କରାଯିବ। ମୌସୁମୀ ସମୟରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକୁ ୭୨ ଘଣ୍ଟା ମଧ୍ୟରେ ଚଳାଚଳଯୋଗ୍ୟ କରିବାକୁ ନିର୍ଦ୍ଦେଶ ମିଳିଛି। ସରକାର ସହରର ସ୍ୱଚ୍ଛତା ଓ ଜଳ ନିଷ୍କାସନ ପଥ ସଫା ରଖିବା ପାଇଁ ନାଗରିକମାନଙ୍କ ସହଯୋଗ ଆହ୍ୱାନ କରିଛନ୍ତି। ଏହି ସମନ୍ୱିତ ପଦକ୍ଷେପ ମାଧ୍ୟମରେ ମୌସୁମୀ-୨୦୨୬ ସମୟରେ ସୁରକ୍ଷିତ ଓ ବନ୍ୟାମୁକ୍ତ ସହର ଗଢ଼ିଉଠିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *