ନ୍ୟୁଜ ଡେକ୍ସ : ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୀର୍ଘ ତିନି ବର୍ଷ ଧରି ଲୋକପାଳ ପଦ ଖାଲି ପଡ଼ିଥିବା ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପ୍ରଣୀତ ଛାତ୍ର ଅଭିଯୋଗ ସମାଧାନ ନିୟମାବଳୀ-୨୦୨୩ ଅନୁସାରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ଲୋକପାଳ ନିଯୁକ୍ତି ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏହି ପଦ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ ।
ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଓ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ପକ୍ଷରୁ ଦାଖଲ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ବିଚାରପତି ଜଷ୍ଟିସ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ଉଚ୍ଚଶିକ୍ଷା ସଚିବ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କୁ ନୋଟିସ ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖରେ ହେବ । ନିୟମ ଅନୁସାରେ ଛାତ୍ରଛାତ୍ରୀଙ୍କ ଆଡମିସନଠାରୁ ପରୀକ୍ଷା ପର୍ଯ୍ୟନ୍ତ ସମସ୍ତ ଅଭିଯୋଗର ସମାଧାନ ପାଇଁ ଅଭିଯୋଗ ସମାଧାନ କମିଟି ଗଠନ କରାଯାଇଥାଏ । ଏହି କମିଟିର ନିଷ୍ପତ୍ତି ବିରୋଧରେ ଅପିଲ୍ ଶୁଣିବା ପାଇଁ ଜଣେ ଲୋକପାଳ ନିଯୁକ୍ତିର ପ୍ରାବଧାନ ରହିଛି । ପୂର୍ବତନ କୁଳପତି, ୧୦ ବର୍ଷର ଅଭିଜ୍ଞତା ଥିବା ପ୍ରଫେସର କିମ୍ବା ପୂର୍ବତନ ଜିଲ୍ଲା ଜଜ୍ଙ୍କୁ ଏହି ପଦରେ ତିନି ବର୍ଷ ପାଇଁ ନିଯୁକ୍ତ କରାଯାଇପାରିବ ।ତେବେ ୨୦୨୩ ମସିହା ମେ’ ମାସରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଲୋକପାଳ ପଦ ଖାଲି ରହିଛି ।
୨୦୨୫ ଫେବ୍ରୁଆରି ୬ ତାରିଖରେ ଝାଡ଼ଖଣ୍ଡ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କୁ ଏହି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା । କିନ୍ତୁ ସେ ଜାତୀୟ ମାନବାଧିକାର କମିସନର ସଦସ୍ୟ ଭାବେ ନିଯୁକ୍ତ ହୋଇଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଯୋଗଦେଇପାରିନଥିଲେ ।ଏହା ପରେ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଲୋକପାଳ ନିଯୁକ୍ତି ପାଇଁ କୌଣସି ନୂଆ ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗରେ ହାଇକୋର୍ଟ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।

