Fri. Jun 5th, 2026

ନ୍ୟୁଜ ଡେକ୍ସ : ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ରପ୍ତାନି କ୍ଷେତ୍ରରେ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ଦେଶର ମୋଟ ସାମଗ୍ରୀ ଓ ସେବା ରପ୍ତାନି ୮୬୩.୧୧ ଅରବ ଆମେରିକୀୟ ଡଲାରରେ ପହଞ୍ଚିଥିବାବେଳେ ପୂର୍ବବର୍ଷ ଏହା ୮୨୫.୨୬ ଅରବ ଡଲାର ଥିଲା । ଏହା ସହିତ ମୋଟ ରପ୍ତାନିରେ ୪.୫୯ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ଜଣାପଡ଼ିଛି ।

ବାଣିଜ୍ୟିକ ବୁଦ୍ଧିମତ୍ତା ଓ ପରିସଂଖ୍ୟାନ ମହାନିର୍ଦ୍ଦେଶାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି । ବିଶେଷ କଥା ହେଉଛି, ୨୦୨୫-୨୬ର ସମସ୍ତ ଚାରି ତ୍ରୈମାସିକରେ ଭାରତ ସର୍ବାଧିକ ରପ୍ତାନି ରେକର୍ଡ କରିଥିବାରୁ ଏହା ଦେଶର ବାଣିଜ୍ୟ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଇଛି ।ବାଣିଜ୍ୟ ମନ୍ତ୍ରଣାଳୟର ସଂଶୋଧିତ ତଥ୍ୟ ଅନୁସାରେ ବିଶ୍ୱ ଆର୍ଥିକ ଅନିଶ୍ଚିତତା ସତ୍ତ୍ୱେ ଭାରତର ରପ୍ତାନି କ୍ଷେତ୍ର ମଜବୁତ ଅବସ୍ଥାନ ରଖିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ରପ୍ତାନି ୮୧.୪୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି ।ତଥ୍ୟ ଅନୁସାରେ, ଗତ ଆର୍ଥିକ ବର୍ଷରେ ଭାରତ ପ୍ରତିଦିନ ବିଶ୍ୱକୁ ପ୍ରାୟ ୨୨ ହଜାର ୩୨୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା ।

ସେହିପରି ପ୍ରତି ଘଣ୍ଟାରେ ୯୩୦ କୋଟି ଟଙ୍କା ଓ ପ୍ରତି ମିନିଟରେ ୧୫.୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ବିଦେଶକୁ ଯାଇଥିବା ଜଣାପଡ଼ିଛି ।ସାମଗ୍ରୀ ରପ୍ତାନି ୦.୯୩ ପ୍ରତିଶତ ବୃଦ୍ଧି ପାଇ ୪୪୧.୭୮ ଅରବ ଡଲାରରେ ପହଞ୍ଚିଥିବାବେଳେ ସେବା ରପ୍ତାନିରେ ସର୍ବାଧିକ ବୃଦ୍ଧି ଦେଖାଯାଇଛି । ୨୦୨୫-୨୬ରେ ସେବା ରପ୍ତାନି ୪୨୧.୩୨ ଅରବ ଡଲାରରେ ପହଞ୍ଚି ୮.୭୧ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି ।ଅଧିକାରୀମାନଙ୍କ କହିବା ଅନୁସାରେ ଆଇଟି, ବ୍ୟବସାୟିକ ସମାଧାନ ଓ ବୃତ୍ତିଗତ ସେବା ପ୍ରତି ବିଶ୍ୱସ୍ତରରେ ବଢ଼ୁଥିବା ଚାହିଦା ଭାରତର ସେବା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିଛି ।

Leave a Reply

Your email address will not be published. Required fields are marked *