Fri. Jun 5th, 2026

ନ୍ୟୁଜ ଡେକ୍ସ : ଦୀର୍ଘ ତିନି ମାସ ଧରି ଚାଲିଥିବା ଆମେରିକା ଓ ଇରାନ ମଧ୍ୟର ତିବ୍ର ଉତ୍ତେଜନା ଏବେ ଶେଷ ହେବାକୁ ଯାଉଛି । ଉଭୟ ଦେଶ ମଧ୍ୟରେ ଏକ ସ୍ଥାୟୀ ଶାନ୍ତି ଚୁକ୍ତି ପାଇଁ ସହମତି ସୃଷ୍ଟି ହୋଇଥିବାବେଳେ ଏକ ପୃଷ୍ଠାର ‘ସମାଧାନ ଚିଠା’ ପ୍ରସ୍ତୁତ ହୋଇଛି । ଏହାକୁ ବିଶ୍ୱ ଶାନ୍ତି ଓ ଅର୍ଥନୀତି ପାଇଁ ଏକ ସକାରାତ୍ମକ ପଦକ୍ଷେପ ବୋଲି ଦେଖାଯାଉଛି ।

ହ୍ୱାଇଟହାଉସ ସୂଚନା ଅନୁସାରେ, ଏହି ଚୁକ୍ତିପତ୍ରରେ ୧୪ଟି ମୁଖ୍ୟ ସର୍ତ୍ତ ରହିଛି । ସେଥିମଧ୍ୟରୁ ଇରାନ ୧୨ରୁ ୧୫ ବର୍ଷ ପର୍ଯ୍ୟନ୍ତ ୟୁରାନିୟମ ସମୃଦ୍ଧିକରଣ ବନ୍ଦ ରଖିବାକୁ ସହମତି ଜଣାଇଛି । ଏହା ପ୍ରତିବଦଳରେ ଆମେରିକା ଇରାନ ଉପରେ ଲାଗିଥିବା ଆର୍ଥିକ କଟକଣା ହଟାଇବା ସହ ଜବତ ହୋଇଥିବା ଇରାନର ସମ୍ପତ୍ତିକୁ ମୁକ୍ତ କରିବ ବୋଲି କୁହାଯାଇଛି ।ଏହି ଚୁକ୍ତି ଫଳରେ ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଚଳାଚଳ ସ୍ୱାଭାବିକ ହେବାର ସମ୍ଭାବନା ରହିଛି । ଏଥିପାଇଁ ଆମେରିକା ନିଜର ସାମରିକ ଅଭିଯାନ ‘ପ୍ରୋଜେକ୍ଟ ଫ୍ରିଡମ୍’କୁ କିଛି ସମୟ ପାଇଁ ସ୍ଥଗିତ ରଖିଥିବା ସୂଚନା ମିଳିଛି ।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ପାକିସ୍ତାନ ସହ ଅନ୍ୟ ମଧ୍ୟସ୍ଥ ଦେଶଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ ସେ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଇରାନ ଚୁକ୍ତିର ସର୍ତ୍ତ ମାନିବାରେ ବିଫଳ ହୁଏ, ତେବେ ପୁଣିଥରେ ବୋମା ମାଡ଼ ଆରମ୍ଭ ହେବ ଏବଂ ତାହା ପୂର୍ବ ତୁଳନାରେ ଅଧିକ ତୀବ୍ର ହେବ ।ସେପଟେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ ସେମାନେ ଏକ ନ୍ୟାୟପୂର୍ଣ୍ଣ ଓ ସାମଗ୍ରିକ ଚୁକ୍ତି ପାଇଁ ଅପେକ୍ଷା କରିଛନ୍ତି । ସେନାର କ୍ଷୟକ୍ଷତି ସତ୍ତ୍ୱେ ଇରାନ ଆଲୋଚନାରେ ନିଜର ସର୍ତ୍ତ ରଖିବାରେ ସଫଳ ହୋଇଥିବା ଚର୍ଚ୍ଚା ହେଉଛି ।

ତେବେ ଚୁକ୍ତି ପ୍ରସ୍ତୁତ ହୋଇଥିଲେ ମଧ୍ୟ କେତେକ ବିଷୟକୁ ନେଇ ଏବେ ବି ସନ୍ଦେହ ରହିଛି । କେବେ ପ୍ରତିବନ୍ଧକ ହଟିବ ଏବଂ କେବେ ଇରାନ ଆଣବିକ କାର୍ଯ୍ୟକ୍ରମ ବନ୍ଦ କରିବ, ସେନେଇ ସ୍ପଷ୍ଟତା ଆସିନାହିଁ । ଏହାସହ ଇରାନର କଠୋରପନ୍ଥୀ ଗୋଷ୍ଠୀ ଓ ଆମେରିକାର କିଛି ସମାଲୋଚକ ଏହି ଚୁକ୍ତିକୁ ବିରୋଧ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି ।ଯଦି ଏହି ଶାନ୍ତି ଆଲୋଚନା ସଫଳ ହୁଏ, ତେବେ ବିଶ୍ୱ ବଜାରରେ ତୈଳ ଦର ହ୍ରାସ ପାଇବା ସହ ଏକ ବଡ଼ ଯୁଦ୍ଧର ଅବସାନ ଘଟିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *