Fri. Jun 5th, 2026

ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସୁପ୍ରିମକୋର୍ଟ ସଂଶୋଧନ ବିଲ୍, ୨୦୨୬ ଆଗତ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହି ବିଲ୍ ଅନୁଯାୟୀ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ରୁ ବୃଦ୍ଧି କରି ୩୮ କରାଯିବ।ବର୍ତ୍ତମାନ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ସହିତ ମୋଟ ୩୪ ଜଣ ବିଚାରପତି ଅଛନ୍ତି।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ବର୍ତ୍ତମାନ ୩୩ ଜଣ ବିଚାରପତି ଓ ଜଣେ ମୁଖ୍ୟ ବିଚାରପତି ଅଛନ୍ତି ଏବଂ ସଂଖ୍ୟାକୁ ୪ ଜଣ ବୃଦ୍ଧି କରିବା ପାଇଁ ସଂସଦର ପରବର୍ତ୍ତୀ ଅଧିବେଶନରେ ବିଲ୍ ଆଗତ କରାଯିବ।ସଂସଦର ଅନୁମୋଦନ ପରେ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ସମେତ ମୋଟ ୩୮ ଜଣ ବିଚାରପତି ରହିବେ। ବର୍ଦ୍ଧିତ ନ୍ୟାୟିକ ବୋଝ ଓ ବୃଦ୍ଧିଶୀଳ ବିଚାରାଧୀନ ମାମଲାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।ପରିସଂଖ୍ୟାନ ଅନୁଯାୟୀ, ସୁପ୍ରିମକୋର୍ଟରେ ମାମଲା ସଂଖ୍ୟା ନିରନ୍ତର ବଢ଼ୁଥିବାରୁ ନ୍ୟାୟ ପ୍ରଦାନରେ ବିଳମ୍ବ ଏକ ମୁଖ୍ୟ ସମସ୍ୟା ହୋଇପାରିଛି। ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ହେଲେ ସାମ୍ବିଧାନିକ ମାମଲା ଓ ଗୁରୁତ୍ୱପୂର୍ଣ୍ଣ ଆବେଦନର ଶୁଣାଣି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

ଇତିହାସ ଅନୁଯାୟୀ, ୧୯୫୬ ମସିହାରେ ଆରମ୍ଭିକ ଆଇନରେ ମୁଖ୍ୟ ବିଚାରପତିକୁ ବାଦ ଦେଇ କେବଳ ୧୦ ଜଣ ବିଚାରପତି ପାଇଁ ବ୍ୟବସ୍ଥା ଥିଲା। ପରେ ୧୯୬୦ରେ ଏହା ୧୩କୁ, ପରବର୍ତ୍ତୀ ସମୟରେ ୧୭କୁ ଏବଂ ୧୯୮୬ରେ ୨୫କୁ ବୃଦ୍ଧି କରାଯାଇଥିଲା। ୨୦୦୯ରେ ସଂଖ୍ୟା ୩୦ ହୋଇଥିଲା ଏବଂ ୨୦୧୯ରେ ଏହାକୁ ୩୩କୁ ବଢ଼ାଯାଇଥିଲା।ଏବେ ୨୦୨୬ରେ ପୁନର୍ବାର ବିଚାରପତି ସଂଖ୍ୟା ବୃଦ୍ଧି ପ୍ରସ୍ତାବ ନେଇ କେନ୍ଦ୍ର ସରକାର ଆଗକୁ ଆସିଥିବାରୁ ନ୍ୟାୟ ବ୍ୟବସ୍ଥାର କ୍ଷମତା ଓ କାର୍ଯ୍ୟକୁଶଳତା ଆହୁରି ବଢ଼ିବ ବୋଲି ମନ୍ତବ୍ୟ ହେଉଛି।

Leave a Reply

Your email address will not be published. Required fields are marked *