ନ୍ୟୁଜ ଡେକ୍ସ : ଆମେରିକାର ଫେଡେରାଲ୍ ବ୍ୟବସାୟ ଅଦାଲତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୧୦ ପ୍ରତିଶତ ବିଶ୍ୱବ୍ୟାପୀ ଟାରିଫ୍ ନୀତିକୁ ଅବୈଧ ଘୋଷଣା କରିଛି। ଗୁରୁବାର ଦିଆଯାଇଥିବା ୨-୧ ରାୟରେ ଅଦାଲତ କହିଛନ୍ତି ଯେ, ୧୯୭୪ ମସିହାର ବ୍ୟବସାୟ ଆଇନ ଅନୁଯାୟୀ ଏହି ଟାରିଫ୍ ଲାଗୁ କରିବାକୁ ପ୍ରଶାସନଙ୍କ ପାଖରେ ଆଇନଗତ ଅଧିକାର ନଥିଲା।ଟ୍ରମ୍ପ ଫେବୃଆରୀ ମାସରେ ଏହି ୧୦ ପ୍ରତିଶତ ଟାରିଫ୍ ଘୋଷଣା କରିଥିଲେ।
ସେତେବେଳେ ସରକାର ଆମେରିକାର ବୃହତ୍ ବ୍ୟବସାୟ କ୍ଷତିକୁ ଦର୍ଶାଇ ଏହାକୁ ଆବଶ୍ୟକ ବୋଲି କହିଥିଲେ। ପ୍ରଶାସନର ଦାବି ଥିଲା ଯେ, ଦେଶରେ ୧.୨ ଟ୍ରିଲିୟନ୍ ଡଲାରର ପଣ୍ୟ ବ୍ୟବସାୟ କ୍ଷତି ରହିଛି ଏବଂ ଏହା ଆମେରିକୀୟ ଶିଳ୍ପକୁ ପ୍ରଭାବିତ କରୁଛି।କିନ୍ତୁ ଅଦାଲତ ଏହି ଯୁକ୍ତିକୁ ଖାରଜ କରି କହିଛନ୍ତି ଯେ, ସରକାର ଦର୍ଶାଇଥିବା ବ୍ୟବସାୟ କ୍ଷତି ଆଇନର ନିର୍ଦ୍ଧାରିତ ମାନଦଣ୍ଡକୁ ପୂରଣ କରୁନାହିଁ। ଅଦାଲତ ମତ ପ୍ରକାଶ କରିଛନ୍ତି ଯେ, କଂଗ୍ରେସ୍ ଦ୍ୱାରା ଦିଆଯାଇଥିବା ଅଧିକାର ସୀମାକୁ ପ୍ରଶାସନ ଅତିକ୍ରମ କରିଛି। ଏହି ମାମଲା ଛୋଟ ଛୋଟ ବ୍ୟବସାୟୀ ସଂସ୍ଥାମାନଙ୍କ ପକ୍ଷରୁ ରୁଜୁ କରାଯାଇଥିଲା।
ସେମାନଙ୍କ ଅଭିଯୋଗ ଥିଲା ଯେ, ଟାରିଫ୍ ନୀତି ଯୋଗୁଁ ବିଶ୍ୱସ୍ତରୀୟ ଉତ୍ପାଦନ ଓ ଆପୂର୍ତ୍ତି ବ୍ୟବସ୍ଥା ଚାପରେ ପଡ଼ିଛି। ଟିଏ ନିର୍ମାଣ କମ୍ପାନୀ ବେସିକ୍ ଫନ୍ର ମୁଖ୍ୟ ଜେ ଫୋରମାନ୍ କହିଛନ୍ତି, ଏହି ରାୟ ଆମେରିକୀୟ କମ୍ପାନୀମାନଙ୍କ ପାଇଁ ବଡ଼ ଆସ୍ୱସ୍ତି ଆଣିଛି।ଏପରିକି ଟ୍ରମ୍ପ ପ୍ରଶାସନ ଏହି ରାୟକୁ ଉଚ୍ଚତର ଅଦାଲତରେ ଆହ୍ୱାନ କରିପାରେ ବୋଲି ସୂଚନା ମିଳିଛି। ମାମଲାଟି ଆଗକୁ ଆମେରିକା ଆପିଲ୍ ଅଦାଲତ ଓ ପରେ ସୁପ୍ରିମକୋର୍ଟକୁ ଯାଇପାରେ।

