ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜୟ ଉତ୍ସବ ମଞ୍ଚରୁ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ ବେଙ୍ଗଲରେ ବିଜେପିର ବିଜୟ ଦଳ ପାଇଁ ସବୁଠୁ ବଡ଼ ବିଜୟ । ଏହି ବିଜୟରେ ମନ, ଆତ୍ମା ଓ ଶରୀର ସବୁ ଖୁସି ହୋଇଛି । ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମାଟିରେ ସରକାର ଗଢ଼ିବା ଦଳ ପାଇଁ ଐତିହାସିକ ଉପଲବ୍ଧି ବୋଲି ସେ କହିଛନ୍ତି ।
ଶାହ କହିଛନ୍ତି ଯେ ୩୭୦ ଧାରା ହଟାଇବା ପରେ ମଧ୍ୟ ଦଳର ଆଉ ଗୋଟିଏ ବଡ଼ ଲକ୍ଷ୍ୟ ରହିଥିଲା । ସେହି ଲକ୍ଷ୍ୟ ଥିଲା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମାଟିରେ ବିଜେପି ସରକାର ଗଢ଼ିବା । ଆଜି ସେହି ଲକ୍ଷ୍ୟ ପୂରଣ ହୋଇଥିବା ସେ କହିଛନ୍ତି । ବେଙ୍ଗଲରେ ବିଜେପିର ବିଜୟ ଯାତ୍ରା ଅତ୍ୟନ୍ତ କଷ୍ଟଦାୟକ ଥିଲା ବୋଲି କହିବା ସହ ହିଂସାରେ ୩୨୧ ଜଣ ବିଜେପି କର୍ମକର୍ତ୍ତା ପ୍ରାଣ ହରାଇଥିବା ସେ ଉଲ୍ଲେଖ କରିଛନ୍ତି । ଏହି ବଳିଦାନକୁ କେବେ ଭୁଲିହେବ ନାହିଁ ବୋଲି ସେ କହିଛନ୍ତି ।ସୀମା ସୁରକ୍ଷାକୁ ଆହୁରି ମଜବୁତ କରାଯିବ ବୋଲି ଶାହ କହିଛନ୍ତି । ପଶ୍ଚିମବଙ୍ଗରେ ବିଜେପିର ବିଜୟ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି । ଅନୁପ୍ରବେଶ ଓ ବେଆଇନ୍ ଗୋଚାଲାଣକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ସାରା ଦେଶରୁ ବାଛି ବାଛି ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ ବୋଲି ସେ କହିଛନ୍ତି ।
ଭୋଟ୍ ଚୋରି ଅଭିଯୋଗକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ମଧ୍ୟ ଶାହ ତୀବ୍ର ଆକ୍ରମଣ କରିଛନ୍ତି । ନିଜ ପରାଜୟ ଲୁଚାଇବା ପାଇଁ ରାହୁଲ ଗାନ୍ଧି ସବୁବେଳେ EVM, ଭୋଟର ତାଲିକା ଓ SIR ଉପରେ ଅଭିଯୋଗ କରୁଛନ୍ତି ବୋଲି ସେ କହିଛନ୍ତି । ୨୦୧୪ ପୂର୍ବରୁ ମଧ୍ୟ କଂଗ୍ରେସ ବିଭିନ୍ନ ରାଜ୍ୟରେ ପରାଜୟ ଭୋଗିଥିବା କଥା ଉଲ୍ଲେଖ କରି ସେ କହିଛନ୍ତି ଯେ ତାମିଲନାଡୁ, ପଶ୍ଚିମବଙ୍ଗ, ବିହାର, ନାଗାଲାଣ୍ଡ, ଓଡ଼ିଶା ଓ ମହାରାଷ୍ଟ୍ରରେ ଦୀର୍ଘ ସମୟ ଧରି କଂଗ୍ରେସ କ୍ଷମତାରୁ ବାହାରେ ରହିଛି । ପରାଜୟ ପାଇଁ ଅନ୍ୟକୁ ଦୋଷ ଦେବା ପରିବର୍ତ୍ତେ କଂଗ୍ରେସ ଆତ୍ମଚିନ୍ତନ କରିବା ଉଚିତ ବୋଲି ଶାହ କହିଛନ୍ତି ।

