ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୂ-ରାଜନୈତିକ ଅସ୍ଥିରତାର ପ୍ରଭାବ ଏବେ ଅନ୍ତର୍ଜାତୀୟ ତୈଳ ବଜାରରେ ସ୍ପଷ୍ଟ ଭାବେ ଦେଖାଯାଉଛି । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୦ ଡଲାରରୁ ବଢ଼ି ୧୨୬ ଡଲାରରେ ପହଞ୍ଚିଥିବାବେଳେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଏପର୍ଯ୍ୟନ୍ତ ସ୍ଥିର ରହିଛି । କିନ୍ତୁ ଏହାର ଭାର ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଉପରେ ବଢ଼ୁଥିବାରୁ ଖୁବଶୀଘ୍ର ଇନ୍ଧନ ଦର ବୃଦ୍ଧି ହେବାର ସମ୍ଭାବନା ଦେଖାଦେଇଛି ।
ସୂତ୍ର ଅନୁସାରେ, ମେ’ ୧୫ ପୂର୍ବରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘୋଷଣା ହୋଇପାରେ । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ପରେ ଦେଶର ତୈଳ କମ୍ପାନିମାନଙ୍କ ମାସିକ କ୍ଷତି ପ୍ରାୟ ୩୦ ହଜାର କୋଟି ଟଙ୍କାକୁ ପହଞ୍ଚିଛି ବୋଲି ପେଟ୍ରୋଲିୟମ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ।ସେ କହିଛନ୍ତି, ମାର୍ଚ୍ଚ ଶେଷରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ଉତ୍ପାଦ ଶୁଳ୍କରେ ଲିଟର ପିଛା ୧୦ ଟଙ୍କା ହ୍ରାସ କରିଥିଲେ । ଏହା ସତ୍ତ୍ୱେ ତୈଳ କମ୍ପାନିମାନଙ୍କ କ୍ଷତି କମିନାହିଁ । ଉତ୍ପାଦ ଶୁଳ୍କ ହ୍ରାସ ଯୋଗୁ ସରକାର ପ୍ରତିମାସ ପ୍ରାୟ ୧୪ ହଜାର କୋଟି ଟଙ୍କାର ରାଜସ୍ୱ ହାରାଉଛନ୍ତି । ହୋର୍ମୁଜ ମାର୍ଗ ଅବରୋଧ ହେବା ଫଳରେ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ପରିବହନ ପ୍ରଭାବିତ ହୋଇଛି ।
ଏହାର ପ୍ରଭାବରେ ଉତ୍ପାଦନ ଖର୍ଚ୍ଚ ବଢ଼ୁଥିବାବେଳେ ଭାରତରେ ଖୁଚୁରା ଦର ସ୍ଥିର ରହିଛି । ଫଳରେ ସରକାର ଓ ତୈଳ କମ୍ପାନି ଉଭୟଙ୍କୁ ବଡ଼ ଆର୍ଥିକ ବୋଝ ବହନ କରିବାକୁ ପଡୁଛି ।ବର୍ତ୍ତମାନ ଲିଟର ପିଛା ପେଟ୍ରୋଲରେ ପ୍ରାୟ ୨୪ ଟଙ୍କା ଏବଂ ଡିଜେଲରେ ୩୦ ଟଙ୍କା ପର୍ଯ୍ୟନ୍ତ କ୍ଷତି ସହାଯାଉଛି । ଏହି ପରିସ୍ଥିତିରେ ସରକାର ଦରବୃଦ୍ଧିକୁ ଅନୁମତି ଦେଲେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୪ରୁ ୫ ଟଙ୍କା ଏବଂ ଘରୋଇ ଏଲ୍ପିଜି ସିଲିଣ୍ଡର ୪୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ । ଯଦି ଏହି ବୃଦ୍ଧି ହୁଏ, ତେବେ ଗତ ୪ ବର୍ଷ ମଧ୍ୟରେ ଏହା ସବୁଠାରୁ ବଡ଼ ଇନ୍ଧନ ଦର ସଂଶୋଧନ ହେବ ।

