Fri. Jun 5th, 2026

ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗ ରାଜନୀତିରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି । ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଅପରାହ୍ନ ୧୧ଟାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସମେତ ଏନ୍‌ଡିଏର ଅନେକ ଶୀର୍ଷ ନେତା ଯୋଗଦେବେ ।

ଶୁକ୍ରବାର କୋଲକାତା କନଭେନସନ ସେଣ୍ଟରରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଶୁଭେନ୍ଦୁଙ୍କୁ ସର୍ବସମ୍ମତିରେ ନେତା ଭାବେ ଚୟନ କରାଯାଇଥିଲା । ବୈଠକ ପରେ ଅମିତ ଶାହ ତାଙ୍କ ନାମ ଘୋଷଣା କରିବା ସହ ଫୁଲମାଳ ପିନ୍ଧାଇ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ ।ନେତା ଭାବେ ଚୟନ ହେବା ପରେ ଶୁଭେନ୍ଦୁ ରାଜ୍ୟପାଳ ଆର.ଏନ୍‌ ରବିଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି ଜଣାଇଥିଲେ । ସେ ବିଧାୟକମାନଙ୍କ ସମର୍ଥନ ପତ୍ର ମଧ୍ୟ ପ୍ରଦାନ କରିଥିଲେ । ଏହାପରେ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ୫୬ ବର୍ଷୀୟ ଶୁଭେନ୍ଦୁ ଅଧିକାରୀ ଏଥର ନିର୍ବାଚନରେ ଭବାନୀପୁର ଆସନରୁ ଟିଏମ୍‌ସି ନେତ୍ରୀ ମମତା ବାନାର୍ଜୀଙ୍କୁ ପରାଜିତ କରିଛନ୍ତି । ସେହିପରି ନନ୍ଦିଗ୍ରାମରୁ ମଧ୍ୟ ଦ୍ୱିତୀୟଥର ପାଇଁ ବିଜୟୀ ହୋଇଛନ୍ତି । ୨୦୨୧ରେ ମଧ୍ୟ ସେ ନନ୍ଦିଗ୍ରାମରେ ମମତାଙ୍କୁ ହରାଇଥିଲେ ।

ସଦ୍ୟ ସମାପ୍ତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ୨୯୪ ଆସନରୁ ବିଜେପି ୨୦୭ ଆସନରେ ବିଜୟୀ ହୋଇ ସରକାର ଗଠନ କରିବାକୁ ଯାଉଛି । ବିଧାୟକ ଦଳ ବୈଠକରେ ଅମିତ ଶାହ କହିଥିଲେ ଯେ ବେଙ୍ଗଲର ଜନତା ବିଜେପି ଉପରେ ଭରସା ରଖି ପ୍ରଚଣ୍ଡ ବହୁମତ ଦେଇଛନ୍ତି । ସେମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାକୁ ଦଳ ପ୍ରତିବଦ୍ଧ ବୋଲି ସେ କହିଥିଲେ ।ଶାହ ଆହୁରି କହିଥିଲେ ଯେ ଦେଶର ସୁରକ୍ଷା ପାଇଁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ ବିଜେପିର ଏହି ବିଜୟକୁ ଐତିହାସିକ ବୋଲି କହିବା ସହ ଦଳର ୩୨୧ ଜଣ ଦିବଂଗତ କାର୍ଯ୍ୟକର୍ତ୍ତାଙ୍କୁ ଏହାର ଶ୍ରେୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *