Fri. Jun 5th, 2026

ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିରତିର ଆଶା ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢ଼ିଛି । ଇରାନର ସବୁଠୁ ବଡ଼ ଦ୍ୱୀପ କ୍ୱେଶମ୍ ଏବଂ ପୋର୍ଟ ସିଟି ବନ୍ଦର ଆବାସ ଉପରେ ଆମେରିକା ମିଶାଇଲ୍ ଓ ଡ୍ରୋନ୍ ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିଛି । ଇରାନୀ ଗଣମାଧ୍ୟମ ଏହି ଅଞ୍ଚଳରେ ବିସ୍ଫୋରଣ ଶୁଣାଯାଇଥିବା ନିଶ୍ଚିତ କରିଛି । ହର୍ମୁଜ୍ ପ୍ରଣାଳୀକୁ କେନ୍ଦ୍ର କରି ଦୁଇ ଦେଶ ମଧ୍ୟରେ ଚାଲିଥିବା ତଣ୍ଟା ମଧ୍ୟରେ ଏହି ଆକ୍ରମଣ ଘଟିଛି ।

ସୂଚନା ଅନୁଯାୟୀ, ଆମେରିକା ଇରାନୀ ଡଙ୍ଗା ଓ ଜାହାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ହର୍ମୁଜ୍ ପ୍ରଣାଳୀରେ ଆମେରିକା ଓ ଇରାନ ସେନା ମୁହାଁମୁହିଁ ହୋଇଥିବା ବେଳେ ଏକ ଇରାନୀ ଟ୍ୟାଙ୍କର ଉପରେ ଆମେରିକା ଆକ୍ରମଣ କରିଥିବା ଦାବି ହୋଇଛି । ଆମେରିକା ପକ୍ଷରୁ କୁହାଯାଇଛି ଯେ ଇରାନୀ କ୍ଷେପଣାସ୍ତ୍ରକୁ ଖସାଇ ଦିଆଯାଇଛି ।ଏହାମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ୍ ଇରାନର ପରମାଣୁ କ୍ଷମତାକୁ ନେଇ କଠୋର ମତ ରଖିଛନ୍ତି । ସେ କହିଛନ୍ତି ଯେ ଯଦି ଇରାନ ପାଖରେ ପରମାଣୁ ଅସ୍ତ୍ର ଥାଆନ୍ତା, ତେବେ ସେମାନେ ଏହାକୁ ବ୍ୟବହାର କରିଥାନ୍ତେ । ଇରାନକୁ କେବେ ମଧ୍ୟ ସେଭଳି ସୁଯୋଗ ଦିଆଯିବ ନାହିଁ ବୋଲି ଟ୍ରମ୍ପ ସତର୍କ କରିଛନ୍ତି ।

ଅନ୍ୟପକ୍ଷରେ ଇରାନ ଦାବି କରିଛି ଯେ ହର୍ମୁଜ୍ ପ୍ରଣାଳୀରେ ତାଙ୍କ ସେନା ଆମେରିକୀୟ ନୌସେନା ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି । ଇରାନର ସରକାରୀ ଗଣମାଧ୍ୟମ ଆଇଆରଆଇବି ଅନୁଯାୟୀ, ଓମାନ ଉପସାଗରରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆମେରିକା ଆକ୍ରମଣ କରିବା ପରେ ଏହାର ଜବାବ ଦିଆଯାଇଛି । ଇରାନୀ ସାମରିକ ଅଧିକାରୀମାନେ କହିଛନ୍ତି ଯେ ଆକ୍ରମଣରେ ଆମେରିକୀୟ ଜାହାଜ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ସେଗୁଡ଼ିକୁ ପଛକୁ ହଟିବାକୁ ବାଧ୍ୟ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଶାନ୍ତି ଆଲୋଚନା ମଧ୍ୟ ଚାଲିଥିବା ସୂଚନା ମିଳିଛି । ତେବେ ପରିସ୍ଥିତି ଦ୍ରୁତ ଗତିରେ ବଦଳୁଥିବାରୁ ସମଗ୍ର ବିଶ୍ୱର ନଜର ଏବେ ମଧ୍ୟପ୍ରାଚ୍ୟ ଉପରେ ରହିଛି ।

Leave a Reply

Your email address will not be published. Required fields are marked *