ନ୍ୟୁଜ ଡେକ୍ସ : ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ବର୍ବରକାଣ୍ଡ ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବାବେଳେ ଭାଇରାଲ ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ପେସିଆଲ ଟିମ୍ ତଦନ୍ତ ଜାରି ରଖିଛି । ଘଟଣା ପରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଥାନା ସମ୍ମୁଖରେ ହୋହଲ୍ଲା ଓ ଉତ୍ତେଜନା ଦେଖିବାକୁ ମିଳିଥିଲା ।
ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଚାପା ତନାତନି ମଧ୍ୟ ସୃଷ୍ଟି ହୋଇଥିଲା ।ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ବାଲିଅନ୍ତାରେ କାହିଁକି ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା ସେନେଇ ଉଦବେଗ ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ୱାଇ.ବି ଖୁରାନିଆଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ଡିଜିପିଙ୍କ ସହ ଆଲୋଚନା କରି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ଓ ଏଭଳି ଭିଡ଼ ହତ୍ୟା ଘଟଣାର ପୁନରାବୃତ୍ତି ରୋକିବାକୁ ପୋଲିସକୁ ସତର୍କ ରହିବାକୁ କହିଛନ୍ତି । ରାଜ୍ୟରେ ଆଇନର ଶାସନକୁ ସୁଦୃଢ କରିବା ପାଇଁ ପୋଲିସ ପ୍ରଶାସନକୁ ଦୃଢ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି ।
ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି । ଘଟଣାର ସମସ୍ତ ଦିଗର ତଦନ୍ତ କରି ପ୍ରକୃତ ସତ୍ୟ ଖୋଜି ବାହାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ମହିଳାଙ୍କ ସହ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ଆସିଛି, ସେମାନଙ୍କ ସହ ଆଲୋଚନା କରିବା ପାଇଁ ଶୁକ୍ରବାର ବାଲିଅନ୍ତା ଯିବେ ବୋଲି ଅଧ୍ୟକ୍ଷା ଶୋଭନା ମହାନ୍ତି ସୂଚନା ଦେଇଛନ୍ତି ।

