Thu. Jun 18th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାରେ ଶ୍ରମିକମାନେ ସରକାର ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ପାଉନଥିବା ଚିନ୍ତାଜନକ ସ୍ଥିତି ସାମ୍ନାକୁ ଆସିଛି। ଏସବିଆଇ ରିସର୍ଚ୍ଚର ସଦ୍ୟତମ ରିପୋର୍ଟ ଅନୁଯାୟୀ, ସର୍ବନିମ୍ନ ମଜୁରୀ ଆଇନ ଉଲ୍ଲଂଘନ ମାମଲାରେ ଓଡ଼ିଶା ଦେଶର ଦ୍ୱିତୀୟ ଖରାପ ରାଜ୍ୟ ଭାବେ ଚିହ୍ନଟ ହୋଇଛି।

ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟର ପ୍ରାୟ ୬୬ ପ୍ରତିଶତ କାଜୁଆଲ୍ ଶ୍ରମିକ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀଠାରୁ କମ୍ ଦରରେ କାମ କରୁଛନ୍ତି।ଏହି ତାଲିକାରେ ଛତିଶଗଡ଼ ୭୦ ପ୍ରତିଶତ ସହ ପ୍ରଥମ ସ୍ଥାନରେ ଥିବାବେଳେ, ଓଡ଼ିଶା ୬୬ ପ୍ରତିଶତ ସହ ଦ୍ୱିତୀୟ ଏବଂ ଝାଡ଼ଖଣ୍ଡ ୬୫ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି। ଏହା ଶ୍ରମିକ ସୁରକ୍ଷା ଏବଂ ମଜୁରୀ ଆଇନର କାର୍ଯ୍ୟକାରିତାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।ରିପୋର୍ଟ ଅନୁଯାୟୀ, କମ୍ ମଜୁରୀ ପାଉଥିବା ଶ୍ରମିକଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି। ଅଣ-ନିୟମିତ ଶ୍ରମଶକ୍ତିରେ ମହିଳାଙ୍କ ଅଂଶ ୨୫ ପ୍ରତିଶତ ହୋଇଥିଲେ ମଧ୍ୟ, କମ୍ ମଜୁରୀ ପାଉଥିବା ଶ୍ରମିକଙ୍କ ମଧ୍ୟରେ ସେମାନଙ୍କ ଅଂଶ ୪୫ ପ୍ରତିଶତ ରହିଛି। ଏହା ଲିଙ୍ଗ ଭିତ୍ତିକ ମଜୁରୀ ବେଷମତାକୁ ମଧ୍ୟ ସ୍ପଷ୍ଟ କରୁଛି। ଅଣସଂଗଠିତ କ୍ଷେତ୍ରରେ ଅଧିକ ସଂଖ୍ୟାରେ ଶ୍ରମିକ କାମ କରୁଥିବାରୁ ଶ୍ରମ ଆଇନର କଠୋର ଅନୁପାଳନ ହୋଇପାରୁନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ବିଶେଷକରି ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ଏହି ସମସ୍ୟା ଅଧିକ ଜଟିଳ ରୂପ ନେଇଛି। ତେବେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଭଳି ରାଜ୍ୟରେ ମଜୁରୀ ନିୟମର ଅନୁପାଳନ ସ୍ଥିତି ତୁଳନାମୂଳକ ଭାବେ ଭଲ ଥିବା କୁହାଯାଇଛି।ରାଜ୍ୟ ସରକାର ସମୟ ସମୟରେ ସର୍ବନିମ୍ନ ମଜୁରୀ ହାର ସଂଶୋଧନ କରୁଥିଲେ ମଧ୍ୟ, ତୃଣମୂଳ ସ୍ତରରେ ଶ୍ରମିକମାନେ ଏହାର ପ୍ରକୃତ ସୁଫଳ ପାଉନାହାଁନ୍ତି। ଏହି ରିପୋର୍ଟ ପରେ ଓଡ଼ିଶାରେ ଶ୍ରମିକଙ୍କ ଅଧିକାର ସୁରକ୍ଷା ଓ ମଜୁରୀ ନିୟମର କଡ଼ା କାର୍ଯ୍ୟକାରିତା ନେଇ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *