ନ୍ୟୁଜ ଡେକ୍ସ : ରାଜ୍ୟରେ ପୁଣିଥରେ ଅସହ୍ୟ ତାତି ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ସକାଳ ୮ଟାରୁ ଖରାର ପ୍ରକୋପ ବଢ଼ୁଥିବାବେଳେ ଦିନର ତାପମାତ୍ରା ୪୮ ଡିଗ୍ରୀ ଟପିଯାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଝାଞ୍ଜି ପବନ ଓ ପ୍ରଚଣ୍ଡ ଖରା କାରଣରୁ ଅଂଶୁଘାତ ଆଶଙ୍କା ମଧ୍ୟ ବଢ଼ିଛି ।
ତାତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅଂଶୁଘାତ ମୁକାବିଲା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଛକ ଓ ଜନସମାଗମ ସ୍ଥଳରେ ଜଳଛତ୍ର ଖୋଲାଯାଇଛି । ଦିନବେଳେ ଶ୍ରମିକମାନଙ୍କୁ କାମ କରାଇବାକୁ ବାରଣ କରାଯାଇଥିବାବେଳେ ନିୟମ ଉଲ୍ଲଂଘନ କରୁଥିବା ଠିକାଦାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଚେତନ କରାଯାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ଅସହ୍ୟ ତାତି ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି ।ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ ତାପମାତ୍ରା ଅଧିକ ବଢ଼ିବା ନେଇ ପୂର୍ବାନୁମାନ ରହିଛି ।
ତେବେ ୩ ଦିନ ପରେ ରାଜ୍ୟରେ ପାଗର ପରିବର୍ତ୍ତନ ସହ ବର୍ଷାର ସମ୍ଭାବନା ରହିଛି । କେତେକ ଜିଲ୍ଲାରେ ମାଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡଘଡି ହେବାର ଆଶଙ୍କା ରହିଛି । ସେଥିସହ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ବହିପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

