Wed. Jun 17th, 2026

ନ୍ୟୁଜ ଡେକ୍ସ : କଟକ କମିସନରେଟ୍ ପୁଲିସରେ ହୋମଗାର୍ଡ ନିୟୋଜନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଆଇନ ଶୃଙ୍ଖଳା ନିୟନ୍ତ୍ରଣ, ପାଟ୍ରୋଲିଂ, ଟ୍ରାଫିକ୍ ପରିଚାଳନା ଓ ଅପରାଧ ଧରପଗଡ଼ ଭଳି କାର୍ଯ୍ୟ ପାଇଁ କମିସନରେଟ୍‌ରେ ୧୦୩୯ ଜଣ ହୋମଗାର୍ଡ ନିୟୋଜିତ ଥିବା ସତ୍ତ୍ୱେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ଥିବା ଅଭିଯୋଗ ହୋଇଛି ।

ଥାନାରେ ଡ୍ୟୁଟି ଦେବା ପରିବର୍ତ୍ତେ ଶତାଧିକ ହୋମଗାର୍ଡ ଉପରିସ୍ଥ ପୁଲିସ ଅଧିକାରୀଙ୍କ ଘରୋଇ କାମରେ ନିୟୋଜିତ ଥିବା କଥା ଏବେ କମିସନରେଟ୍ ପୁଲିସ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ସୂଚନା ଅନୁସାରେ, କଟକ କମିସନରେଟ୍‌ରେ ନିୟୋଜିତ ୧ ହଜାରରୁ ଅଧିକ ହୋମଗାର୍ଡଙ୍କ ମଧ୍ୟରୁ ପ୍ରାୟ ୩ ଶହରୁ ଅଧିକ ହୋମଗାର୍ଡ ବର୍ଷବର୍ଷ ଧରି ଥାନା ମାଟି ମାଡ଼ି ନାହାନ୍ତି । ଥାନା ଅଧିକାରୀଠାରୁ ଆରମ୍ଭ କରି ବିଭିନ୍ନ ଉପରିସ୍ଥ ଅଧିକାରୀଙ୍କ ଘରେ ସେମାନେ ଘରୋଇ କାମ କରୁଥିବା ଅଭିଯୋଗ ହୋଇଛି । ପରିବା କିଣିବା, ସଉଦା ଆଣିବା, ଘର କାମଧନ୍ଦା କରିବା ଭଳି କାମରେ ହୋମଗାର୍ଡମାନଙ୍କୁ ଲଗାଯାଉଥିବା ଜଣାପଡ଼ିଛି । କମିସନରେଟ୍ ରେକର୍ଡରେ ଥାନା ଅନୁଯାୟୀ ହୋମଗାର୍ଡଙ୍କ ଯେଉଁ ସଂଖ୍ୟା ଦର୍ଶାଯାଇଛି, ତାହା ବାସ୍ତବ ସ୍ଥିତି ସହ ମେଳ ଖାଉନଥିବା ଅଭିଯୋଗ ହୋଇଛି ।

ୱେବସାଇଟ୍ ତଥ୍ୟ ଅନୁସାରେ ଥାନା ସ୍ତରରେ ୩୭୮ ଜଣ ହୋମଗାର୍ଡ ନିୟୋଜିତ ଥିବା ଦର୍ଶାଯାଇଥିବା ବେଳେ କେତେକ ଥାନାରେ ହୋମଗାର୍ଡ ନଥିବା କଥା ମଧ୍ୟ ଉଲ୍ଲେଖ ରହିଛି । କିନ୍ତୁ ବାସ୍ତବରେ ସେହି ଥାନାରେ ୨୦ରୁ ଅଧିକ ହୋମଗାର୍ଡ କାମ କରୁଥିବା ଜଣାପଡ଼ିଛି । ତଥ୍ୟ ଓ ବାସ୍ତବ ଚିତ୍ର ମଧ୍ୟରେ ଏପରି ତାଳମେଳ ନ ଥିବାରୁ ଡ୍ୟୁଟି ବଣ୍ଟନରେ ଅନିୟମିତତା ଥିବା ସନ୍ଦେହ କରାଯାଉଛି ।ହୋମଗାର୍ଡମାନେ ଦିନକୁ ୮ ଘଣ୍ଟା ଡ୍ୟୁଟି କଲେ ୬୨୮ ଟଙ୍କା ଭତ୍ତା ପାଉଥିବା ବେଳେ ଚାକିରି ସ୍ଥାୟୀ ନ ଥିବାରୁ ସେମାନେ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ମୁହଁ ଖୋଲିବାକୁ ଭୟ କରୁଛନ୍ତି ।

ଅଫିସର୍ ଅସନ୍ତୁଷ୍ଟ ହେଲେ ଭତ୍ତା ବନ୍ଦ ହୋଇଯିବାର ଆଶଙ୍କା ଥିବାରୁ ଇଚ୍ଛା ନ ଥିଲେ ମଧ୍ୟ ଅନେକ ହୋମଗାର୍ଡ ଘରୋଇ କାମ କରିବାକୁ ବାଧ୍ୟ ହେଉଥିବା କୁହାଯାଉଛି ।ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ କମିସନରେଟ୍‌ରେ ୯୩୯ ହୋମଗାର୍ଡ ପଦବି ଥିଲା । ଆଇନ ଶୃଙ୍ଖଳା ଓ ପାଟ୍ରୋଲିଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତବର୍ଷ ଆଉ ୧୦୦ ପଦବି ବୃଦ୍ଧି କରାଯାଇଥିଲା । ଏବେ ମୋଟ ସଂଖ୍ୟା ୧୦୩୯ରେ ପହଞ୍ଚିଥିବା ବେଳେ ପ୍ରାୟ ୯୦ ଜଣ ମହିଳା ହୋମଗାର୍ଡ ମଧ୍ୟ ନିୟୋଜିତ ଅଛନ୍ତି । ଏ ସମ୍ପର୍କରେ କଟକ କମିସନରେଟ୍‌ର ଡେପୁଟି କମାଣ୍ଡାଣ୍ଟ ବିଷ୍ଣୁପ୍ରସାଦ ମିଶ୍ରଙ୍କ ପ୍ରତିକ୍ରିୟା ପାଇଁ ଏକାଧିକ ଥର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍ ରିସିଭ୍ କରିନଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *