Wed. Jun 3rd, 2026

ନ୍ୟୁଜ ଡେକ୍ସ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କଦଳୀବନ୍ଧ ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ଅଜିତ ସାହୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଘଟଣାର ମାତ୍ର ୧୨ ଘଣ୍ଟା ମଧ୍ୟରେ ପୋଲିସ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ କେନ୍ଦ୍ରାଞ୍ଚଳ ଆଇଜିପି ଡାକ୍ତର ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି।ସୂଚନା ଅନୁସାରେ, ଗତ ସୋମବାର ଭୋର ସମୟରେ ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ ସାହୁଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବରେ ହତ୍ୟା କରାଯାଇଥିଲା।

ଅଭିଯୁକ୍ତମାନେ ତାଙ୍କ ଉପରେ ନିର୍ମମ ଆକ୍ରମଣ କରି ଦୁଇ ହାତ କାଟି ଦେଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ମାରାତ୍ମକ ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଅଜିତଙ୍କ ମୃତ୍ୟୁ ଘଟିଥିଲା। ଘଟଣାର ନୃଶଂସତା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।ପ୍ରାଥମିକ ତଦନ୍ତରୁ ପଥର ମାଫିଆଙ୍କ ଚୋରା ଚାଲାଣକୁ ବିରୋଧ କରିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଜିତ ସାହୁ ଅଞ୍ଚଳରେ ଚାଲିଥିବା ବେଆଇନ ପଥର ଚୋରା ଚାଲାଣ ବିରୋଧରେ ସ୍ୱର ଉଠାଉଥିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଥିଲା। ରୋଷାନ୍ବିତ ଲୋକମାନେ ରାସ୍ତାରୋକ କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପରିସ୍ଥିତିକୁ ଦେଖି କେନ୍ଦ୍ରାଞ୍ଚଳ ଆଇଜିପି ଡାକ୍ତର ସତ୍ୟଜିତ ନାୟକ ଓ ନୟାଗଡ଼ ଏସପି ଏସ୍. ସୁଶ୍ରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ୪ ଜଣ ପ୍ରମୁଖ ଅଭିଯୁକ୍ତଙ୍କୁ ହେପାଜତକୁ ନିଆଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଗାଡ଼ି ଜବତ ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ସେହିପରି ଘଟଣାସ୍ଥଳରୁ ସାଇଣ୍ଟିଫିକ ଟିମ୍‌ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିଥିବା ସୂଚନା ମିଳିଛି।ପୋଲିସ କହିଛି ଯେ, ଘଟଣାରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ ରହିଛି ଏବଂ ସମଗ୍ର ଘଟଣାର ଗଭୀର ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *