ନ୍ୟୁଜ ଡେକ୍ସ : ‘ଅପରେସନ୍ ସିନ୍ଦୂର’ ସମୟରେ ପାକିସ୍ତାନକୁ ସହାୟତା ଯୋଗାଇଦେବା ପ୍ରସଙ୍ଗରେ ଭାରତ ଚୀନକୁ କଡ଼ା ସନ୍ଦେଶ ଦେଇଛି। ମଙ୍ଗଳବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦୀ ଭିତ୍ତିଭୂମିକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ଦେଶଗୁଡ଼ିକ ନିଜର ଅନ୍ତର୍ଜାତୀୟ ପ୍ରତିଷ୍ଠା ଓ ସ୍ଥିତି ବିଷୟରେ ଭାବିବା ଉଚିତ।
ନିକଟରେ ଚୀନର ସରକାରୀ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ ଭାରତର ସାମରିକ ଅଭିଯାନ ‘ଅପରେସନ୍ ସିନ୍ଦୂର’ ସମୟରେ ଚୀନର ବୈଷୟିକ ଦଳ ପାକିସ୍ତାନ ସେନାକୁ ସହଯୋଗ କରିଥିଲା। ପାକିସ୍ତାନ ବ୍ୟବହାର କରୁଥିବା ଚୀନ ନିର୍ମିତ ଯୁଦ୍ଧ ବିମାନର କ୍ଷମତା ବଢ଼ାଇବା ପାଇଁ ଚୀନର ଇଞ୍ଜିନିୟରମାନେ ସହାୟତା କରିଥିବା ଅଭିଯୋଗ ହୋଇଛି। ସେମାନେ ପାକିସ୍ତାନର ଏୟାରବେସରେ ଉପସ୍ଥିତ ଥିବା ସହ ଚୀନ ନିଜର ଉପଗ୍ରହ ଜରିଆରେ ଭାରତୀୟ ସେନାର ଗତିବିଧି ସମ୍ପର୍କିତ ସୂଚନା ପାକିସ୍ତାନକୁ ଯୋଗାଇଥିବା କୁହାଯାଇଛି।
ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟଶ୍ବାଲ କହିଛନ୍ତି ଯେ, ଯେଉଁ ଦେଶଗୁଡ଼ିକ ନିଜକୁ ଦାୟିତ୍ୱବାନ ମନେ କରୁଛନ୍ତି ସେମାନେ ଆତଙ୍କବାଦୀ ଭିତ୍ତିଭୂମିକୁ ସୁରକ୍ଷା ଦେବା ଦ୍ୱାରା ସେମାନଙ୍କ ପ୍ରତିଷ୍ଠା ଉପରେ କି ପ୍ରଭାବ ପଡ଼ୁଛି ତାହା ବିଚାର କରିବା ଉଚିତ। ୨୦୨୫ ଏପ୍ରିଲ ୨୨ରେ ଜାମ୍ମୁ-କଶ୍ମୀରର ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ସେନା ପାକିସ୍ତାନ ବିରୋଧରେ ‘ଅପରେସନ୍ ସିନ୍ଦୂର’ ନାମରେ ସାମରିକ ଅଭିଯାନ ଚାଲାଇଥିଲା।
ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିବା ପାଇଁ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।ଭାରତର ଦାବି ଅନୁଯାୟୀ, ଏହି ଅଭିଯାନରେ ପାକିସ୍ତାନ ସୀମା ମଧ୍ୟରେ ଥିବା ୯ଟି ଆତଙ୍କବାଦୀ ଶିବିର ଏବଂ ୧୧ଟି ବିମାନ ଘାଟି ଧ୍ୱଂସ କରାଯାଇଥିଲା। ଭାରତ ସ୍ପଷ୍ଟ କରିଛି ଯେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆଗକୁ ମଧ୍ୟ ଜାରି ରହିବ ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଯେକୌଣସି ଶକ୍ତିକୁ କଡ଼ା ଜବାବ ଦିଆଯିବ।

