ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ବିଶ୍ୱସ୍ତରରେ ଶକ୍ତି ସଙ୍କଟ ଦେଖାଦେଇଛି। ଏହାକୁ ନେଇ ବିଭିନ୍ନ ଦେଶର ସରକାର ଇନ୍ଧନ ସଂରକ୍ଷଣ ଓ ଶକ୍ତି ବ୍ୟବହାର କମେଇବା ପାଇଁ ପଦକ୍ଷେପ ନେଉଥିବା ବେଳେ ଭାରତରେ ମଧ୍ୟ ଏହାକୁ ଗୁରୁତ୍ୱ ଦିଆଯାଇଛି। ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପେଟ୍ରୋଲ ଓ ଡିଜେଲ ସଞ୍ଚୟ କରିବା ସହ ଅନାବଶ୍ୟକ ଖର୍ଚ୍ଚ କମେଇବାକୁ ଆହ୍ୱାନ କରିଛନ୍ତି।
ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନାବଶ୍ୟକ ସୁନା କ୍ରୟରୁ ଦୂରେଇ ରହିବା ଓ ବିଦେଶୀ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ ରଖିବାକୁ ନିବେଦନ କରିଥିଲେ। ଏହି ଆହ୍ୱାନକୁ କେବଳ ଭାଷଣରେ ସୀମିତ ନ ରଖି ନିଜ କ୍ଷେତ୍ରରେ ମଧ୍ୟ ଲାଗୁ କରିଛନ୍ତି ମୋଦି। ସାମ୍ପ୍ରତିକ ଗୁଜରାଟ ଓ ଆସାମ ଗସ୍ତ ସମୟରେ ତାଙ୍କ କନଭୟରେ ଯାନବାହାନ ସଂଖ୍ୟା ହ୍ରାସ କରାଯାଇଥିବା ଦେଖାଯାଇଛି। ତେବେ SPG ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରଭାବ ପଡ଼ିନଥିବା ସ୍ପଷ୍ଟ କରାଯାଇଛି। ଦେଶର ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଇନ୍ଧନ ସଂରକ୍ଷଣ ପାଇଁ କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଯୋଗୀ ଆଦିତ୍ୟନାଥ ସରକାରୀ ଗାଡ଼ି ବ୍ୟବହାରକୁ ୫୦ ପ୍ରତିଶତ କମେଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ କାର୍ଯ୍ୟକ୍ରମରେ ଅନାବଶ୍ୟକ ଗାଡ଼ି ବ୍ୟବହାର ନ କରିବା ସହ ଜନପ୍ରତିନିଧିମାନଙ୍କୁ ସପ୍ତାହକୁ ଅତିକମରେ ଥରେ ବସ୍ ବା ଟ୍ରେନ୍ ଭଳି ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
ଏହାସହ ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ସପ୍ତାହକୁ ଦୁଇ ଦିନ ‘ୱାର୍କ ଫ୍ରମ୍ ହୋମ୍’ ଓ ଅନ୍ଲାଇନ୍ କ୍ଲାସ୍ କରିବା ପାଇଁ ପରାମର୍ଶ ଦିଆଯାଇଛି, ଯାହା ଦ୍ୱାରା ଯାତାୟାତ ଓ ତେଲ ବ୍ୟବହାର କମିପାରିବ।ମୋହନ ଯାଦବ ମଧ୍ୟ ଶୋଭାଯାତ୍ରା ଓ ବଡ଼ କନଭୟ ଉପରେ ରୋକ ଲଗାଇଥିବା ବେଳେ ନିଜ ସୁରକ୍ଷା କନଭୟର ଗାଡ଼ି ସଂଖ୍ୟାକୁ ୧୩ରୁ ୮କୁ କମାଇ ଦେଇଛନ୍ତି।ଅନ୍ୟପଟେ ଆଚାର୍ଯ୍ୟ ଦେବବ୍ରତ ହେଲିକପ୍ଟର ଓ ବିମାନ ବଦଳରେ ମେଟ୍ରୋ ଓ ବସ୍ରେ ଯାତ୍ରା କରିବାକୁ ଘୋଷଣା କରିଛନ୍ତି। ଶକ୍ତି ସଙ୍କଟ ସାଧାରଣ ନହେବା ପର୍ଯ୍ୟନ୍ତ ସେ ରାଜ୍ୟ ଭିତରେ ହେଲିକପ୍ଟର ବା ବିମାନ ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି।
ଦିଲ୍ଲୀ ଓ ମହାରାଷ୍ଟ୍ର ସରକାର ମଧ୍ୟ ଏହି ଦିଗରେ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀରେ ଗୋଟିଏ ଗାଡ଼ିରେ ଅନେକ ଅଧିକାରୀ ଯାତ୍ରା କରିବା ଭଳି ବ୍ୟବସ୍ଥା କରାଯାଇଥିବା ବେଳେ ଦେବେନ୍ଦ୍ର ଫଡ଼ନାବିସ୍ ଇନ୍ଧନ ବ୍ୟବହାର କମେଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ବିଶ୍ୱସ୍ତରୀୟ ତୈଳ ସଙ୍କଟ ମଧ୍ୟରେ ଭାରତର ଏହି ପଦକ୍ଷେପ ଶକ୍ତି ସଂରକ୍ଷଣ ଓ ଆର୍ଥିକ ସ୍ଥିରତା ରକ୍ଷା ଦିଗରେ ଏକ ବଡ଼ ପ୍ରୟାସ ବୋଲି ମନେ କରାଯାଉଛି।

