ନ୍ୟୁଜ ଡେକ୍ସ : ସାଧାରଣ ଲୋକଙ୍କ ଉପରେ ପୁଣିଥରେ ମହଙ୍ଗା ମାଡ଼ ପଡ଼ିଛି। ଗ୍ୟାସ ଓ ପେଟ୍ରୋଲ ଦର ବୃଦ୍ଧି ପରେ ଏବେ କ୍ଷୀର ଦାମ ବଢ଼ିବା ଖବର ଲୋକଙ୍କ ଚିନ୍ତା ବଢ଼ାଇଛି। ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ କମ୍ପାନୀ ଅମୂଲ ସାରା ଦେଶରେ କ୍ଷୀର ମୂଲ୍ୟରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି। କମ୍ପାନୀ ପକ୍ଷରୁ ଜଣାପଡ଼ିଛି ଯେ, ଏହି ନୂଆ ଦର ୧୪ ମେ ଠାରୁ ଲାଗୁ ହେବ।କ୍ଷୀର ଦାମ ବୃଦ୍ଧିର ସିଧା ପ୍ରଭାବ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ଉପରେ ପଡ଼ିବ ବୋଲି ମନେ କରାଯାଉଛି।
ଦୈନନ୍ଦିନ ଖାଦ୍ୟର ଏକ ଅଂଶ ଭାବେ କ୍ଷୀରର ବ୍ୟବହାର ହୋଇଥିବାରୁ ଏହି ଦରବୃଦ୍ଧି ଘରୋଇ ବଜେଟକୁ ପ୍ରଭାବିତ କରିବ।ଅମୂଲ କମ୍ପାନୀ କହିଛି ଯେ, ଉତ୍ପାଦନ କ୍ଷେତ୍ରରେ ଖର୍ଚ୍ଚ ବଢ଼ିବା ଯୋଗୁଁ କ୍ଷୀର ଦାମ ବୃଦ୍ଧି କରାଯାଇଛି। କଞ୍ଚାମାଲ ପରିବହନ ଖର୍ଚ୍ଚ, ବିଦ୍ୟୁତ ଦର ବୃଦ୍ଧି ଏବଂ ପ୍ୟାକେଜିଂ ଖର୍ଚ୍ଚ ବଢ଼ିବା ଯୋଗୁଁ ଏହି ପରିବର୍ତ୍ତନ ଆଣାଯାଇଥିବା କମ୍ପାନୀ ସ୍ପଷ୍ଟ କରିଛି।
କମ୍ପାନୀର କହିବା ଅନୁସାରେ, ଚାଷୀମାନଙ୍କୁ ଉଚିତ ଦାମ ଦେବା ଓ ଦୁଗ୍ଧ ବ୍ୟବସାୟକୁ ଆହୁରି ମଜବୁତ କରିବା ପାଇଁ ସାମାନ୍ୟ ଦର ବୃଦ୍ଧି କରାଯାଇଛି। ଲାଭର ଅଧିକାଂଶ ଅଂଶ ସିଧାସଳଖ ଚାଷୀଙ୍କ ଖାତାକୁ ଯିବ ବୋଲି ଅମୂଲ କହିଛି। ଏହା ଦ୍ୱାରା ଚାଷୀମାନେ ଅଧିକ ଲାଭବାନ ହେବା ସହ ପଶୁପାଳନ କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିବ ବୋଲି କମ୍ପାନୀ ଆଶା ପ୍ରକାଶ କରିଛି।

