ନ୍ୟୁଜ ଡେକ୍ସ : ସାବିତ୍ରୀ ବ୍ରତ ଅବସରରେ ଭଉଣୀ ଘରକୁ ସାବିତ୍ରୀ ଭାର ନେଇ ଯାଉଥିବା ବେଳେ ଘଟିଲା ଦୁଃଖଦ ଦୁର୍ଘଟଣା। ଅନୁଗୁଳ ଜିଲ୍ଲା ଜରପଡା ଥାନା ସାନ୍ତରାପୁର ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଥିବା ବେଳେ ତାଙ୍କ ସହ ଥିବା କୁନି ଝିଅ ଅଳ୍ପକେ ରକ୍ଷା ପାଇଯାଇଛି।ମୃତକ ଜଣକ ହେଲେ ମୁଣ୍ଡାସାହି ଗାଁର ଅନିଲ ପ୍ରଧାନ।
ସୂଚନା ଅନୁସାରେ, ଅନିଲ ନିଜ କୁନି ଝିଅକୁ ସାଙ୍ଗରେ ନେଇ ଅନୁଗୁଳ ଅଭିମୁଖେ ଯାଉଥିଲେ। ଏହି ସମୟରେ ସାନ୍ତରାପୁର ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳରେ ହିଁ ଅନିଲଙ୍କ ମୃତ୍ୟୁ ଘଟିଥିଲା।ତେବେ ସୌଭାଗ୍ୟବଶତଃ ତାଙ୍କ ସହ ଥିବା କୁନି ଝିଅର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।
ଘଟଣା ପରେ ସ୍ଥାନୀୟ ଲୋକ ଓ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ଜରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଅଜଣା ଗାଡ଼ିକୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

