ନ୍ୟୁଜ ଡେକ୍ସ : ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଆଗମନକୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବଡ଼ ସୂଚନା ଦିଆଯାଇଛି। ଆସନ୍ତା ମେ ୨୬ ତାରିଖରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁପାରେ ବୋଲି ଆଇଏମଡି ପୂର୍ବାନୁମାନ କରିଛି। ସାଧାରଣତଃ ଜୁନ୍ ୧ ତାରିଖରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରିଥାଏ।
ତେବେ ଏଥର ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ପାଞ୍ଚ ଦିନ ପୂର୍ବରୁ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଥିବାରୁ ଏହାକୁ ନେଇ ପାଣିପାଗ ବିଶେଷଜ୍ଞମାନେ ଗୁରୁତ୍ୱ ଦେଉଛନ୍ତି।କେରଳରେ ମୌସୁମୀ ବାୟୁର ପ୍ରବେଶକୁ ଭାରତରେ ଜୁନ୍ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁର ଆରମ୍ଭ ଭାବେ ଗଣନା କରାଯାଏ। ଦେଶର କୃଷି, ଜଳ ସମ୍ପଦ ଓ ସାମଗ୍ରିକ ଅର୍ଥନୀତି ପାଇଁ ମୌସୁମୀ ବର୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେଣୁ ମୌସୁମୀ ବାୟୁର ଆଗମନ ସମୟକୁ ନେଇ ସମଗ୍ର ଦେଶର ଚାଷୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ରହିଥାଏ।
ଆଇଏମଡି ପୂର୍ବରୁ ମଙ୍ଗଳବାର ଜାରି କରିଥିବା ସୂଚନାରେ କହିଥିଲା ଯେ, ଏହି ସପ୍ତାହ ଶେଷ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳକୁ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। ସାଧାରଣତଃ ମେ ୨୦ ତାରିଖରେ ମୌସୁମୀ ବାୟୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିଥାଏ। ତାପରେ ଏହା ଧୀରେ ଧୀରେ ଆରବ ସାଗର ଓ ବଙ୍ଗୋପସାଗର ଦିଗରେ ସକ୍ରିୟ ହୋଇ ଭାରତୀୟ ଭୂଖଣ୍ଡ ଆଡକୁ ଅଗ୍ରସର ହୋଇଥାଏ।ପାଣିପାଗ ବିଭାଗର ଆକଳନ ଅନୁସାରେ, ଏଥର ମୌସୁମୀ ବାୟୁ ଆଣ୍ଡାମାନକୁ ଶୀଘ୍ର ଛୁଇଁଥିବାରୁ କେରଳ ଉପକୂଳକୁ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିବାର ସମ୍ଭାବନା ବଢ଼ିଛି।
ଏହା ଦେଶର ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହରୁ କିଛି ପରିମାଣରେ ଆଶ୍ୱସ୍ତି ଆଣିପାରେ ବୋଲି କୁହାଯାଉଛି।ତେବେ ମୌସୁମୀର ଆଗମନ ଶୀଘ୍ର ହେବା ସତ୍ତ୍ୱେ ବର୍ଷାର ପରିମାଣକୁ ନେଇ ଆଶଙ୍କା ଜାରି ରହିଛି। ଏଥର ଏଲନିନୋ ସ୍ଥିତିର ପ୍ରଭାବ ଯୋଗୁଁ ଦେଶରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇପାରେ ବୋଲି ଆଇଏମଡି ଆକଳନ କରିଛି। ଏଲନିନୋ ଯୋଗୁଁ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ପାଇଥାଏ ଏବଂ ଏହାର ପ୍ରଭାବ ମୌସୁମୀ ବର୍ଷା ଉପରେ ପଡ଼ିଥାଏ।
ଫଳରେ କେତେକ ଅଞ୍ଚଳରେ କମ ବର୍ଷା ଓ ଖରା ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହେ। ମୌସୁମୀ ବର୍ଷା ଭାରତର କୃଷି ଅର୍ଥନୀତିର ମୂଳ ଭିତ୍ତି ହୋଇଥିବାରୁ ଏହାର ପରିମାଣ ଓ ବିତରଣ ଉପରେ ଚାଷୀଙ୍କ ଭବିଷ୍ୟତ ନିର୍ଭର କରେ। ତେଣୁ ଆଗାମୀ ଦିନରେ ମୌସୁମୀ ବାୟୁର ଗତିବିଧି ଓ ବର୍ଷାର ସ୍ଥିତି ଉପରେ ସମସ୍ତଙ୍କ ନଜର ରହିଛି।

