Fri. Jun 5th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଚାଲିଥିବା କୃତ୍ରିମ ତୈଳ ସଙ୍କଟ ମଧ୍ୟରେ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଓ ଚିନ୍ତାଜନକ ଘଟଣା। ଅଧାବାଟରେ ଆମ୍ବୁଲାନ୍ସରୁ ତେଲ ସରିଯିବା ଫଳରେ ଜଣେ ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସ୍ୱାସ୍ଥ୍ୟ ସେବାର ଅବ୍ୟବସ୍ଥା, ଆମ୍ବୁଲାନ୍ସ ପରିଚାଳନାର ଦାୟିତ୍ୱହୀନତା ଓ ତୈଳ ସଙ୍କଟର ପ୍ରଭାବକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ମୃତକ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରକାଶ କୁମାର ତାଣ୍ଡି। ସୂଚନା ଅନୁଯାୟୀ, ପ୍ରକାଶ ବିଷପାନ କରି ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ପରିବାର ଲୋକେ ତୁରନ୍ତ କଟକ ବଡ଼ ମେଡିକାଲ ଏସସିବିକୁ ଆଣିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଥିଲା।ପରିବାର ଲୋକେ ତୁରନ୍ତ ଏକ ଆମ୍ବୁଲାନ୍ସ ଯୋଗାଡ଼ କରି ପ୍ରକାଶଙ୍କୁ ଭୁବନେଶ୍ୱର ନେବାକୁ ବାହାରିଥିଲେ। ମାତ୍ର ଯାତ୍ରା ମଝିରେ ହିଁ ଘଟିଥିଲା ଅପ୍ରତ୍ୟାଶିତ ଘଟଣା। କାଠଯୋଡ଼ି ନଦୀ ବ୍ରିଜ ଉପରେ ହଠାତ୍ ଆମ୍ବୁଲାନ୍ସର ତେଲ ସରିଯାଇଥିଲା।

ଫଳରେ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ନେଇ ଆମ୍ବୁଲାନ୍ସ ରାସ୍ତା ମଝିରେ ଅଟକି ରହିଥିଲା। ପରିବାର ଲୋକେ ସାହାଯ୍ୟ ପାଇଁ ଏପଟ ସେପଟ ଦୌଡ଼ିଥିଲେ ମଧ୍ୟ ତୁରନ୍ତ କୌଣସି ସହଯୋଗ ମିଳିନଥିବା ଅଭିଯୋଗ କରିଛନ୍ତି। ସବୁଠାରୁ ଚିନ୍ତାଜନକ କଥା ହେଲା, ଆମ୍ବୁଲାନ୍ସରେ ଥିବା ଅକ୍ସିଜେନ ସିଲିଣ୍ଡର ମଧ୍ୟ ଶେଷ ହୋଇଯାଇଥିବା ପରିବାର ଲୋକେ ଦାବି କରିଛନ୍ତି। ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନ ଅତ୍ୟନ୍ତ ଆବଶ୍ୟକ ଥିବାବେଳେ ଅକ୍ସିଜେନ ନଥିବା ଏବଂ ଆମ୍ବୁଲାନ୍ସ ଅଟକି ରହିବା ଫଳରେ ପ୍ରକାଶଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇପଡ଼ିଥିଲା। କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।ଏହି ଘଟଣା ପରେ ପରିବାର ଲୋକେ ଆମ୍ବୁଲାନ୍ସ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଏକ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସରେ ପର୍ଯ୍ୟାପ୍ତ ତେଲ ନଥିବା ଓ ଅକ୍ସିଜେନ ଶେଷ ହୋଇଯିବା ଭଳି ଘଟଣାକୁ ସେମାନେ ଗୁରୁତର ଅବ୍ୟବସ୍ଥା ବୋଲି କହିଛନ୍ତି।

ଘଟଣା ପରେ ମୃତକଙ୍କ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି।ରାଜ୍ୟରେ ଚାଲିଥିବା ତୈଳ ସଙ୍କଟ ମଧ୍ୟରେ ଏଭଳି ଘଟଣା ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ଜରୁରୀ ସେବାରେ ନିୟୋଜିତ ଆମ୍ବୁଲାନ୍ସଗୁଡ଼ିକୁ କିପରି ପରିଚାଳନା କରାଯାଉଛି ଏବଂ ଏପରି ସେବାରେ ନିୟମିତ ଯାଞ୍ଚ କେତେ ହେଉଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦାବି ହେଉଛି।

Leave a Reply

Your email address will not be published. Required fields are marked *