ନ୍ୟୁଜ ଡେକ୍ସ : ତେଲ ଅଭାବକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅସୁବିଧା ଦେଖାଦେଇଥିବା ବେଳେ ଏବେ ଏହା ଜଣେ ବ୍ୟକ୍ତିଙ୍କ ଜୀବନ ନେଇଥିବା ଅଭିଯୋଗ ଆସିଛି। ମାଲକାନଗିରି ଜିଲ୍ଲାର କୁସୁମପୁଟ ଗାଁର ବସନ୍ତ ଖିଲଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁଯାୟୀ, ବସନ୍ତ ଖିଲ ଆମ୍ବ ତୋଳିବା ପାଇଁ ଗଛ ଉପରକୁ ଚଢ଼ିଥିଲେ।
ଆମ୍ବ ତୋଳୁଥିବା ସମୟରେ ହଠାତ୍ ସେ ଗଛରୁ ତଳକୁ ପଡ଼ିଯାଇଥିଲେ। ଗୁରୁତର ଆହତ ହେବା ପରେ ପରିବାର ଲୋକେ ତୁରନ୍ତ ତାଙ୍କୁ ବାଇକ୍ରେ ଚିକିତ୍ସା ପାଇଁ ନେଉଥିଲେ। କିନ୍ତୁ ଅଧା ରାସ୍ତାରେ ବାଇକ୍ର ତେଲ ସରିଯାଇଥିଲା। ସେହି ସମୟରେ ତେଲ ନମିଳିବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିଛି ସମୟ ପରେ ଆମ୍ବୁଲାନ୍ସ ଆସି ବସନ୍ତଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।
ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରମାନେ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବସନ୍ତଙ୍କ ମୃତ୍ୟୁ ଘଟିଥିଲା।ତେଲ ଅଭାବକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଠିଆ ହେଉଥିବା ବେଳେ କେଉଁଠି ଜାତୀୟ ରାଜପଥ ମଧ୍ୟ ଜାମ୍ ହେଉଛି। ଏହି ଘଟଣା ପରେ ତେଲ ସଙ୍କଟକୁ ନେଇ ସାଧାରଣ ଲୋକଙ୍କ ଅସନ୍ତୋଷ ଆହୁରି ବଢ଼ିଛି।

