Wed. Jun 3rd, 2026

ନ୍ୟୁଜ ଡେକ୍ସ : ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ବେକାର ଯୁବକ ଯୁବତୀଙ୍କୁ ‘କକ୍ରୋଚ୍’ ସହ ତୁଳନା କରିଥିବା ମନ୍ତବ୍ୟକୁ ନେଇ ସାରା ଦେଶରେ ରାଜନୈତିକ ଓ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ଜୋର ଧରିଛି । ଏହି ବିବାଦ ପରେ ସୋସିଆଲ ମିଡିଆରେ ‘କକ୍ରୋଚ୍ ଜନତା ପାର୍ଟି’ ନାମରେ ଗଠିତ ଡିଜିଟାଲ ସଂଗଠନ ଯୁବପିଢି ମଧ୍ୟରେ ଭାରି ଲୋକପ୍ରିୟ ହୋଇଉଠିଛି । ଇନଷ୍ଟାଗ୍ରାମ ଓ ଏକ୍ସରେ ଏହି ପାର୍ଟିକୁ ନେଇ ହଜାର ହଜାର ପୋଷ୍ଟ ଓ ମିମ୍ ଭାଇରାଲ ହେଉଛି ।

ରିପୋର୍ଟ ଅନୁଯାୟୀ, ଭାରତରେ ‘କକ୍ରୋଚ୍ ଜନତା ପାର୍ଟି’ର ଏକ୍ସ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି । କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଆଇଟି ଆଇନ ୨୦୦୦ର ଧାରା ୬୯(ଏ) ଅନୁଯାୟୀ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଇଣ୍ଟେଲିଜେନ୍ସ ବ୍ୟୁରୋ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ସୂଚନାରେ ଏହି ଆକାଉଣ୍ଟର କିଛି ପୋଷ୍ଟକୁ ଉତ୍ତେଜନାମୂଳକ ଓ ଜାତୀୟ ସୁରକ୍ଷା ପାଇଁ ବିପଦଜନକ ବୋଲି ଉଲ୍ଲେଖ କରାଯାଇଥିଲା । ଏକ୍ସ ପକ୍ଷରୁ କୁହାଯାଇଛି ଯେ, କୌଣସି ଆଇନଗତ ନିର୍ଦ୍ଦେଶ କିମ୍ବା ସରକାରୀ ଆବେଦନ ପାଇଲେ ସେହି ଅନୁଯାୟୀ ଆକାଉଣ୍ଟକୁ ବ୍ଲକ୍ କରାଯାଏ । ତେବେ ଭାରତରେ ପୁରୁଣା ଆକାଉଣ୍ଟ ବନ୍ଦ ହେଲେ ମଧ୍ୟ ଅନ୍ୟ ଦେଶରେ ଏହା ଏବେ ବି ସକ୍ରିୟ ରହିଥିବା ଜଣାପଡିଛି । ଏହାର ସ୍କ୍ରିନସଟ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ଆକାଉଣ୍ଟ ବ୍ଲକ୍ ହେବାର କିଛି ସମୟ ପରେ ‘କକ୍ରୋଚ୍ ଇଜ୍ ବ୍ୟାକ୍’ ନାମରେ ଆଉ ଏକ ନୂଆ ଏକ୍ସ ଆକାଉଣ୍ଟ ଖୋଲାଯାଇଥିଲା । ଏହାର ବାୟୋରେ ‘କକ୍ରୋଚ୍ ଡୋଣ୍ଟ ଡାଏ’ ବୋଲି ଲେଖାଯାଇଥିଲା ।

ନୂଆ ଆକାଉଣ୍ଟ ଖୋଲିବାର କିଛି ଘଣ୍ଟା ମଧ୍ୟରେ ହିଁ ହଜାର ହଜାର ଫଲୋଅର୍ସ ଯୋଡ଼ାଯାଇଥିଲେ । ସନ୍ଧ୍ୟା ସୁଦ୍ଧା ଏହାର ଫଲୋଅର୍ସ ସଂଖ୍ୟା ୫୦ ହଜାର ଅତିକ୍ରମ କରିଥିଲା ।ଏହି ଡିଜିଟାଲ ସଂଗଠନର ପ୍ରତିଷ୍ଠାତା ଅଭିଜିତ ଦୀପକେ କହିଛନ୍ତି ଯେ, ଆକାଉଣ୍ଟ ବ୍ଲକ୍ ହେବା ଆଶା କରାଯାଉଥିଲା । ସେ କହିଛନ୍ତି, ଯୁବପିଢିଙ୍କ ସ୍ୱରକୁ ଦମନ କରିହେବ ନାହିଁ । ଏପଟେ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି । ଅନେକ ଯୁବକ ଏହାକୁ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଆଘାତ ବୋଲି କହୁଥିବାବେଳେ, ଅନ୍ୟପଟେ କିଛି ଲୋକ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି ।

Leave a Reply

Your email address will not be published. Required fields are marked *