ନ୍ୟୁଜ ଡେକ୍ସ : ଥାଇଲ୍ୟାଣ୍ଡ ଯାତ୍ରା କରିବାକୁ ଚାହୁଁଥିବା ଭାରତୀୟମାନଙ୍କ ପାଇଁ ଆସିଛି ବଡ଼ ଝଟକା। ଥାଇଲ୍ୟାଣ୍ଡ ସରକାର ଭାରତକୁ ତାହାର ଭିସା-ଫ୍ରି ଏଣ୍ଟ୍ରୀ ତାଲିକାରୁ ବାଦ ଦେଇଛି। ଏହାଦ୍ୱାରା ୨୦୨୪ ପର୍ଯ୍ୟନ୍ତ ମିଳୁଥିବା ଭିସା-ମୁକ୍ତ ପ୍ରବେଶ ସୁବିଧା ଆଉ ଭାରତୀୟ ପର୍ଯ୍ୟଟକମାନେ ପାଇବେ ନାହିଁ।ମେ ୧୯ ତାରିଖରେ ଥାଇ କ୍ୟାବିନେଟ ପକ୍ଷରୁ ମଞ୍ଜୁରି ପାଇଥିବା ସଂଶୋଧିତ ଭିସା ବ୍ୟବସ୍ଥା ଅନୁଯାୟୀ, ଭାରତକୁ ଏବେ ‘ଭିସା ଅନ୍ ଆରାଇଭାଲ୍’ ବା VoA ବର୍ଗରେ ରଖାଯାଇଛି।
ଏହା ଥାଇଲ୍ୟାଣ୍ଡର ପୂର୍ବରୁ ଚାଲୁଥିବା ୬୦ ଦିନିଆ ଭିସା-ଫ୍ରି ନୀତିକୁ ପରିବର୍ତ୍ତନ କରିବ।ସୂଚନା ଅନୁସାରେ, କୋଭିଡ୍-୧୯ ମହାମାରୀ ପରେ ପର୍ଯ୍ୟଟନକୁ ବୃଦ୍ଧି କରିବା ପାଇଁ ଥାଇଲ୍ୟାଣ୍ଡ ୯୩ଟି ଦେଶ ପାଇଁ ୬୦ ଦିନିଆ ଭିସା-ଫ୍ରି ସୁବିଧା ଆରମ୍ଭ କରିଥିଲା। କିନ୍ତୁ ଏବେ ସୁରକ୍ଷା ଏବଂ ପ୍ରବାସନ ସମ୍ପର୍କିତ ଚିନ୍ତାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି।ଥାଇଲ୍ୟାଣ୍ଡର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ କ୍ୟାବିନେଟ ‘ଫ୍ରି ଭିସା ଏବଂ VoA ଯୋଜନାରେ ସଂଶୋଧନ’କୁ ଅନୁମୋଦନ କରିଛି। ଏହା ଅନୁସାରେ ୯୩ ଦେଶ ପାଇଁ ଥିବା ୬୦ ଦିନିଆ ଭିସା-ମୁକ୍ତ ପ୍ରବେଶ ସୁବିଧା ବାତିଲ କରାଯାଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ, ଭାରତ ଏବେ VoA ବର୍ଗରେ ରହିଥିବା କେବଳ ଚାରିଟି ଦେଶ ମଧ୍ୟରୁ ଗୋଟିଏ। ଅନ୍ୟ ତିନିଟି ଦେଶ ହେଲେ ଅଜରବୈଜାନ, ବେଲାରୁସ ଓ ସର୍ବିଆ।ଥାଇଲ୍ୟାଣ୍ଡ ଏବେ ୫୪ଟି ଦେଶର ନାଗରିକଙ୍କୁ ୩୦ ଦିନିଆ ଭିସା-ମୁକ୍ତ ପ୍ରବେଶ ସୁବିଧା ଦେବ।
ଏଥିରେ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ଜାପାନ, ସିଙ୍ଗାପୁର ସହ ଅନେକ ୟୁରୋପୀୟ ଦେଶ ଅନ୍ତର୍ଭୁକ୍ତ ଅଛନ୍ତି। ସେହିପରି ସେସେଲ୍ସ, ମାଳଦ୍ୱୀପ ଓ ମରିସସ ପାଇଁ ପୃଥକ ୧୫ ଦିନିଆ ଭିସା-ଫ୍ରି ବ୍ୟବସ୍ଥା ରହିଛି।ତେବେ ନୂଆ ନୀତି ଲାଗୁ ହେବା ପରେ ଭାରତୀୟ ପର୍ଯ୍ୟଟକମାନେ ଆଉ ଥାଇଲ୍ୟାଣ୍ଡରେ ଭିସା-ମୁକ୍ତ ପ୍ରବେଶ ସୁବିଧା ପାଇବେ ନାହିଁ।

