ନ୍ୟୁଜ ଡେକ୍ସ : ଓଡ଼ିଶାରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନିମନ୍ତ୍ରଣ ଜଣାଇଛନ୍ତି। ଏହି ସାକ୍ଷାତକୁ ଏକ ସୌଜନ୍ୟମୂଳକ ଭେଟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ନୂଆଦିଲ୍ଲୀରେ ହୋଇଥିବା ଏହି ସାକ୍ଷାତକାର ସମୟରେ ଓଡ଼ିଶାର ଭିତ୍ତିଭୂମି ବିକାଶ, ରାଜ୍ୟରେ ପୁଞ୍ଜିନିବେଶ ସୁଯୋଗର ସମ୍ପ୍ରସାରଣ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଆହୁରି ସକ୍ରିୟ ଭାବେ କାର୍ଯ୍ୟକାରୀ କରିବା ନେଇ ସକାରାତ୍ମକ ଆଲୋଚନା ହୋଇଥିଲା। ରାଜ୍ୟର ସାମଗ୍ରିକ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟର ସମନ୍ୱୟକୁ ଆହୁରି ଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାବାସୀଙ୍କ ସେବାରେ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିଲେ।
ଏହାସହ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ମାର୍ଗଦର୍ଶନ ଓ ସହଯୋଗ ପାଇଁ ସେ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକର ପ୍ରସିଦ୍ଧ ତାରକସୀ କଳାରେ ନିର୍ମିତ ଏକ ବୋଇତକୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତିର ଏହି ନିଦର୍ଶନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିବା ଜଣାପଡ଼ିଛି।

