Wed. Jun 3rd, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଆସନ୍ତା ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ସୁଚାରୁ ଓ ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରିବା ପାଇଁ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ ଗୋପଲନଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମାଧ୍ୟମରେ ହୋଇଥିବା ଏହି ବୈଠକରେ ସମସ୍ତ ଜିଲ୍ଲାର ନୋଡାଲ ଅଫିସର, ଡେପୁଟି କଲେକ୍ଟର (ନିର୍ବାଚନ) ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ସରଳ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନପଡ଼ନ୍ତି, ସେଥିପାଇଁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଭୋଟର ତାଲିକା ସଂଶୋଧନ ସମୟରେ ବିଏଲଓମାନେ ଘରକୁ ଘର ବୁଲି ସର୍ଭେ କରିବେ। ଏହି ପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ଗୁଜବମୁକ୍ତ ରଖିବା ପାଇଁ ପ୍ରତ୍ୟେକ ଜିଲ୍ଲାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ କୁହାଯାଇଛି। ବିଶେଷ କରି ସୋସିଆଲ ମିଡିଆରେ ଏସଆଇଆରକୁ ନେଇ ପ୍ରଚାର ହେଉଥିବା ଭ୍ରମାତ୍ମକ ସୂଚନା ଓ ଅପପ୍ରଚାରକୁ ତୁରନ୍ତ ଖଣ୍ଡନ କରିବାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ଚେତାବନୀ ଦିଆଯାଇଛି।ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ସମସ୍ତ ଗଣନା ଫର୍ମକୁ ଓଡ଼ିଆ ଭାଷାରେ ଉପଲବ୍ଧ କରାଯିବ। ଏହା ଦ୍ୱାରା ଗ୍ରାମାଞ୍ଚଳର ସାଧାରଣ ଲୋକେ ସହଜରେ ତଥ୍ୟ ବୁଝିପାରିବେ ଏବଂ ନିଜ ସଠିକ୍ ସୂଚନା ପ୍ରଦାନ କରିପାରିବେ।

ଜନସାଧାରଣଙ୍କ ସହାୟତା ପାଇଁ ୧୯୫୦ ଟୋଲ୍ ଫ୍ରି ନିର୍ବାଚନ ହେଲ୍ପଲାଇନ ନମ୍ବରର ବ୍ୟାପକ ପ୍ରଚାର କରାଯିବ। ଏହି ନମ୍ବର ମାଧ୍ୟମରେ ନାଗରିକମାନେ ଭୋଟର ତାଲିକା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇବା ସହ ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ କଥାହେବା ପାଇଁ କଲ୍ ବୁକ୍ କରିପାରିବେ।ଭୋଟର ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥାନୀୟ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ସହଯୋଗ ନେବାକୁ ପରାମର୍ଶ ଦିଆଯାଇଛି। ଡେପୁଟି ସିଇଓ ଡ଼. ଲଷ୍ମୀପ୍ରସାଦ ସାହୁ ସମସ୍ତ ଜିଲ୍ଲାର ମିଡିଆ ସେଲ ଓ ସୋସିଆଲ ମିଡିଆ ସେଲକୁ ସକ୍ରିୟ ରହିବାକୁ କହିଛନ୍ତି।ବୈଠକରେ ଅନଲାଇନ୍ ଆବେଦନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଏବଂ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କୁ ଅଧିକ ସକ୍ରିୟ କରିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଥିଲା।

Leave a Reply

Your email address will not be published. Required fields are marked *