Wed. Jun 3rd, 2026

ନ୍ୟୁଜ ଡେକ୍ସ : ଆଇପିଏଲ ୨୦୨୬ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଗୁଜରାଟ ଟାଇଟନ୍ସକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଛି। ଏହି ବିଜୟ ସହିତ ଦଳ କେବଳ ଟ୍ରଫି ହାସଲ କରିନାହିଁ, ବରଂ ବିପୁଳ ଆର୍ଥିକ ପୁରସ୍କାର ମଧ୍ୟ ଜିତିଛି। ଚଳିତ ସଂସ୍କରଣ ପାଇଁ ବିସିସିଆଇ ପକ୍ଷରୁ ମୋଟ ପୁରସ୍କାର ରାଶି ୪୬.୫ କୋଟି ଟଙ୍କାରୁ ଅଧିକ ରଖାଯାଇଥିଲା।ଚାମ୍ପିୟନ ଆରସିବିକୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରନର୍ସଅପ୍ ଗୁଜରାଟ ଟାଇଟନ୍ସ ୧୩ କୋଟି ଟଙ୍କା ପୁରସ୍କାର ପାଇଛି।

ଫାଇନାଲରେ ପରାଜିତ ହୋଇଥିଲେ ମଧ୍ୟ ଗୁଜରାଟ ଟାଇଟନ୍ସ ଏହି ବଡ଼ ଆର୍ଥିକ ରାଶି ସହ ଅଭିଯାନ ଶେଷ କରିଛି।ପ୍ଲେ-ଅଫ୍‌ରେ ପହଞ୍ଚିଥିବା ଅନ୍ୟ ଦୁଇ ଦଳ ମଧ୍ୟ ଆକର୍ଷଣୀୟ ପୁରସ୍କାର ପାଇଛନ୍ତି। ତୃତୀୟ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସକୁ ୭ କୋଟି ଟଙ୍କା ଏବଂ ଚତୁର୍ଥ ସ୍ଥାନରେ ଥିବା ସନରାଇଜର୍ସ ହାଇଦ୍ରାବାଦକୁ ୬.୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ତେବେ ପଞ୍ଚମରୁ ଦଶମ ସ୍ଥାନରେ ରହିଥିବା ଦଳଗୁଡ଼ିକ ପାଇଁ କୌଣସି ପୁରସ୍କାର ବ୍ୟବସ୍ଥା ନାହିଁ। ଆଇପିଏଲର ନିୟମ ଅନୁସାରେ ଦଳକୁ ମିଳୁଥିବା ସମୁଦାୟ ପୁରସ୍କାର ରାଶିର ୫୦ ପ୍ରତିଶତ ଖେଳାଳିଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ। ଅବଶିଷ୍ଟ ୫୦ ପ୍ରତିଶତ ଅର୍ଥ ଫ୍ରାଞ୍ଚାଇଜି ମାଲିକଙ୍କ ପାଖକୁ ଯାଇଥାଏ। ଏହା ଫଳରେ ଖେଳାଳିମାନେ ମଧ୍ୟ ଦଳୀୟ ସଫଳତାର ସିଧାସଳଖ ଲାଭ ପାଇଥାନ୍ତି।

ଦଳଗତ ପୁରସ୍କାର ବ୍ୟତୀତ ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ମଧ୍ୟ ସ୍ୱତନ୍ତ୍ର ସମ୍ମାନ ଏବଂ ଆର୍ଥିକ ପୁରସ୍କାର ରହିଛି। ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟରଙ୍କୁ ଅରେଞ୍ଜ କ୍ୟାପ ଏବଂ ସର୍ବାଧିକ ୱିକେଟ ନେଇଥିବା ବୋଲରଙ୍କୁ ପର୍ପଲ କ୍ୟାପ ପ୍ରଦାନ କରାଯାଇଥାଏ। ଏହା ସହ ସେମାନଙ୍କୁ ଅତିରିକ୍ତ ନଗଦ ପୁରସ୍କାର ମଧ୍ୟ ମିଳିଥାଏ।ଆରସିବିର ଏହି ଐତିହାସିକ ସଫଳତା ଦଳର ସମର୍ଥକଙ୍କ ମଧ୍ୟରେ ଉତ୍ସବର ମାହୋଲ ସୃଷ୍ଟି କରିଥିବା ବେଳେ ଫ୍ରାଞ୍ଚାଇଜି ଏବଂ ଖେଳାଳିମାନଙ୍କ ପାଇଁ ଏହା ଏକ ସ୍ମରଣୀୟ ଋତୁ ଭାବେ ପରିଗଣିତ ହୋଇଛି।

Leave a Reply

Your email address will not be published. Required fields are marked *