Thu. Jun 4th, 2026

ନ୍ୟୁଜ ଡେକ୍ସ : ଦେଶରେ ମୌସୁମୀ ଆଗମନ ସହ ପାଣିପାଗରେ ବଡ଼ ପରିବର୍ତ୍ତନ ଆରମ୍ଭ ହୋଇଛି। ଆଜି ଯେକୌଣସି ସମୟରେ କେରଳ ଏବଂ ତାମିଲନାଡୁରେ ମୌସୁମୀ ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆଗାମୀ ୨୪ ଘଣ୍ଟାରେ ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ଦକ୍ଷିଣ ଭାରତର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ରାଜସ୍ଥାନରେ ବିଚ୍ଛିନ୍ନ ଧୂଳିଝଡ଼ ଏବଂ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି। କେରଳ ଓ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସୂଚନା ମିଳିଛି।

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ବର୍ଷା ପରିମାଣ ବୃଦ୍ଧି ପାଇବ। ଏହି ପରିବର୍ତ୍ତନରେ ତାପମାତ୍ରା ହ୍ରାସ ପାଇ ଗରମରୁ କିଛିଟା ଆଶ୍ୱସ୍ତି ମିଳିବ।ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୫ରୁ ୭ ଦିନ ମଧ୍ୟରେ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। କେରଳର କିଛି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି, ଯାହା ଫଳରେ ତଳିଆ ଅଞ୍ଚଳରେ ଜଳବନ୍ଦୀ, ନଦୀର ପାଣିସ୍ତର ବୃଦ୍ଧି ଓ ଭୂସ୍ଖଳନର ଆଶଙ୍କା ରହିଛି। ଦିଲ୍ଲୀରେ ମଧ୍ୟ ଆବହାଓାରେ ପରିବର୍ତ୍ତନ ଦେଖାଦେବା ସହ ପ୍ରବଳ ଗରମରୁ କିଛିଟା ଆଶ୍ୱସ୍ତି ମିଳିବ।

ସର୍ବାଧିକ ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ। ସନ୍ଧ୍ୟା ବା ରାତି ସମୟରେ ଧୂଳିଝଡ଼, ବଜ୍ରପାତ ଏବଂ ଘଣ୍ଟାପ୍ରତି ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।ପାହାଡ଼ିଆ ରାଜ୍ୟଗୁଡ଼ିକରେ ପଶ୍ଚିମ ବିଶ୍ରୁଙ୍ଖଳା ସକ୍ରିୟ ହେବାରୁ ପାଗ ସୁଖଦ ରହିବ। ହିମାଚଳ ପ୍ରଦେଶର କିଛି ଅଞ୍ଚଳରେ କୁଆପଥର ବର୍ଷାର ସତର୍କତା ଜାରି ହୋଇଛି। ଉତ୍ତରାଖଣ୍ଡରେ ବର୍ଷା ଓ ପ୍ରବଳ ପବନ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବିହାରରେ ଆର୍ଦ୍ର ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ଆଗାମୀ ଦିନରେ ଗମ୍ଭୀର ତାପପ୍ରବାହ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଇଛି।

Leave a Reply

Your email address will not be published. Required fields are marked *