ନ୍ୟୁଜ ଡେକ୍ସ : ଦକ୍ଷିଣ ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ ୫ ମହଲା ବିଶିଷ୍ଟ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୧ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୧୭ ଜଣ ବିଦେଶୀ ନାଗରିକ ଥିବା ଜଣାପଡ଼ିଛି, ଯେଉଁମାନେ ଲାଇବେରିଆ, ନାଇଜେରିଆ, ମୋଜାମ୍ବିକ୍ ଓ ବାଂଲାଦେଶ ସହିତ ବିଭିନ୍ନ ଦେଶର ନାଗରିକ ବୋଲି ଚିହ୍ନଟ କରାଯାଇଛି।ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି।
ସେ ଆହତମାନଙ୍କର ଶୀଘ୍ର ସୁସ୍ଥତା କାମନା କରିବା ସହ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡରୁ ମୃତକଙ୍କ ପରିବାର ପ୍ରତି ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।ସୂଚନା ଅନୁଯାୟୀ, ମାଲଭିୟ ନଗରର ଏହି ରେଷ୍ଟୁରାଣ୍ଟଟି ୫ ମହଲା ବିଶିଷ୍ଟ ଥିବା ସହ ତଳ ଭାଗରେ ଲଜ୍ ବ୍ୟବସ୍ଥା ମଧ୍ୟ ଥିଲା। ପ୍ରାୟ ୨୫ଟି କକ୍ଷ ଥିବା ଏହି ଲଜ୍ରେ ପ୍ରାୟ ୪୦ ଜଣ ଲୋକ ରହୁଥିଲେ ବୋଲି ଜଣାପଡ଼ିଛି।
ଅଗ୍ନିକାଣ୍ଡ ସମୟରେ କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ତଳକୁ ଲାଫ ଦେଇ ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି। ଅନେକ ଗୁରୁତର ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍କୁ ଭର୍ତ୍ତି କରାଯାଇଛି। ପ୍ରାଥମିକ ତଦନ୍ତରେ ସର୍ଟସର୍କିଟ୍ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି, ତେବେ ଘଟଣାର ସଠିକ କାରଣ ଜାଣିବାକୁ ତଦନ୍ତ ଚାଲିଛି।

