ନ୍ୟୁଜ ଡେକ୍ସ : ଚାଷୀଙ୍କ ସୁରକ୍ଷା ସହ ଜଡ଼ିତ ଏକ ଜରୁରୀ ବିଦ୍ୟୁତ୍ କାମ ପାଇଁ ଲାଞ୍ଚ ଦାବି କରି ଶେଷରେ ଭିଜିଲାନ୍ସ ଜାଲରେ ଫସିଛନ୍ତି TPCODLର ଜଣେ କର୍ମଚାରୀ। କଟକ ଜିଲ୍ଲା ନରସିଂହପୁର ବୈଦ୍ୟୁତିକ ସେକ୍ସନର ଲାଇନମ୍ୟାନ-ଏ ଧର୍ମ ନିରଞ୍ଜନ ଚୌଧୁରୀଙ୍କୁ ଶନିବାର ଓଡ଼ିଶା ଭିଜିଲାନ୍ସ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଗିରଫ କରିଛି।ସୂଚନା ଅନୁଯାୟୀ, ଜଣେ ଚାଷୀଙ୍କ ଜମି ଉପରେ ୧୧ କେଭି ବିଦ୍ୟୁତ୍ ତାର ଯାଇଥିବା ବେଳେ ଜମି ମଧ୍ୟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇପଡ଼ିଥିଲା।
ଖୁଣ୍ଟଟି ଯେକୌଣସି ସମୟରେ ଭାଙ୍ଗିପଡ଼ି ବଡ଼ ଅଘଟଣ ଘଟାଇପାରୁଥିବାରୁ ଚାଷୀ ଜଣକ ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟରେ ଅଭିଯୋଗ କରି ଏହାକୁ ପରିବର୍ତ୍ତନ କରିବା ପାଇଁ ଅନୁରୋଧ କରିଥିଲେ।ଏହି କାମର ଦାୟିତ୍ୱ ଧର୍ମ ନିରଞ୍ଜନ ଚୌଧୁରୀଙ୍କୁ ଦିଆଯାଇଥିଲା। ମାତ୍ର ସରକାରୀ କାମ କରିବା ପାଇଁ ସେ ଚାଷୀଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି। ଗତ ଜୁନ୍ ୨ ତାରିଖରେ ଖୁଣ୍ଟ ପରିବର୍ତ୍ତନ କରିବା ପରେ ସେ ୟୁପିଆଇ ମାଧ୍ୟମରେ ୮ ହଜାର ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ବାକି ୧୭ ହଜାର ଟଙ୍କା ଦେବା ପାଇଁ ଚାଷୀଙ୍କ ଉପରେ ଚାପ ପକାଇଥିଲେ। ଚାଷୀ ଜଣକ ବାକି ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବା ପରେ ଦରଦାମ ହୋଇଥିଲା। ଶେଷରେ ଲାଞ୍ଚ ରାଶିକୁ ୧୭ ହଜାରରୁ କମାଇ ୧୫ ହଜାର ଟଙ୍କାରେ ରଫାଦଫା କରାଯାଇଥିଲା।
ଅଭିଯୁକ୍ତ ପୁରୁଣା ଖୁଣ୍ଟକୁ ଜମିରୁ ଉଠାଇ ନେବା ପାଇଁ ମଧ୍ୟ ଅଲଗା ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି।ବାରମ୍ବାର ହଇରାଣ ହେବା ପରେ ଚାଷୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଫାନ୍ଦ ପତାଇଥିଲା। ଶନିବାର ଚାଷୀଙ୍କଠାରୁ ୧୫ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଧର୍ମ ନିରଞ୍ଜନ ଚୌଧୁରୀଙ୍କୁ ରଙ୍ଗେହାତ କାବୁ କରାଯାଇଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ରାଶି ଜବତ କରାଯାଇଛି। ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଆୟ ଓ ସମ୍ପତ୍ତି ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି। ଏନେଇ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ-୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି। ଏହି ଘଟଣା ପୁଣିଥରେ ସରକାରୀ ସେବା କ୍ଷେତ୍ରରେ ଦୁର୍ନୀତି ପ୍ରସଙ୍ଗକୁ ଚର୍ଚ୍ଚାକୁ ଆଣିଛି।

