Sat. Jun 6th, 2026

ନ୍ୟୁଜ ଡେକ୍ସ : ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ରାଜଧାନୀ ଭୁବନେଶ୍ୱରର ପାଗ ହଠାତ୍ ବଦଳିଯାଇଥିଲା। ଦିନ ଦ୍ୱିପ୍ରହରରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଚାରିଆଡ଼େ ଅନ୍ଧାର ଛାଇଯାଇଥିଲା। କିଛି ମିନିଟ୍‌ ମଧ୍ୟରେ ଘଡ଼ଘଡ଼ି, ବିଜୁଳି, ଝଡ଼ ପବନ ଓ ପ୍ରବଳ ବର୍ଷାରେ ଥରି ଉଠିଥିଲା ସମଗ୍ର ସହର।ଦୀର୍ଘଦିନ ଧରି ଅସହ୍ୟ ଗରମ ଓ ଗୁଳୁଗୁଳିରେ କଲବଲ ହେଉଥିବା ଲୋକମାନେ ଏହି ବର୍ଷା ଯୋଗୁଁ ବଡ଼ ଆଶ୍ୱସ୍ତି ପାଇଥିଲେ। ରାଜଧାନୀର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଥିବା ବେଳେ ପ୍ରାୟ ୪୦ରୁ ୫୦ କିଲୋମିଟର ବେଗରେ ଝଡ଼ ପବନ ବହିଥିଲା।

ବଜ୍ରପାତ ଓ ଘଡ଼ଘଡ଼ି ଯୋଗୁଁ ଲୋକମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଦେଖାଦେଇଥିଲା।ହଠାତ୍ ବର୍ଷା ଯୋଗୁଁ ସହରର ଅନେକ ସ୍ଥାନରେ ଯାତାୟାତ ବ୍ୟାହତ ହୋଇଥିଲା। ବିଭିନ୍ନ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଉପୁଜିଥିବା ବେଳେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜୟଦେବ ବିହାର ଅଞ୍ଚଳରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ୪ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାପଡ଼ିଛି। ସକାଳେ ତାପମାତ୍ରା ଓ ଆର୍ଦ୍ରତା ଅଧିକ ଥିବାରୁ ଲୋକମାନେ ଅସହ୍ୟ ଗରମରେ ଅତିଷ୍ଠ ହୋଇପଡ଼ିଥିଲେ। ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ ଏବଂ ଆର୍ଦ୍ରତା ୭୭ ପ୍ରତିଶତ ରହିଥିଲା। ଫଳରେ ଗରମର ଅନୁଭୂତି ପ୍ରାୟ ୪୭ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଥିଲା।

ତେବେ ଅପରାହ୍ନର କାଳବୈଶାଖୀ ଉପକୂଳ ଅଞ୍ଚଳର ଲୋକଙ୍କୁ ଗୁଳୁଗୁଳି ଓ ତାତିରୁ ସାମୟିକ ମୁକ୍ତି ଦେଇଛି। ଏହାସହ ଆକାଶରେ ଏବେ ବି କଳା ବାଦଲ ଛାଇ ରହିଥିବାରୁ ଆଗାମୀ କିଛି ଘଣ୍ଟା ମଧ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି।ସେପଟେ ପାଣିପାଗ ବିଭାଗ କାଳବୈଶାଖୀକୁ ନେଇ ରାଜ୍ୟର ୧୧ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି। ବଜ୍ରପାତ, ଝଡ଼ ପବନ ଓ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଲୋକମାନଙ୍କୁ ସତର୍କ ରହିବା ସହ ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *